Unknown

 

 

 

 

 

 

 

 

 

ଇତାଲୀୟ ଯୁବା

କବିବର ରାଧାନାଥ ରାୟ

 

ଉପକ୍ରମଣିକା

 

ଇଉରୋପ ମହାଖଣ୍ଡରେ ଆଲ୍‌ପସ୍ ନାମକ ଏକ ଦୀର୍ଘ ଉଚ୍ଚ ପର୍ବତ ଅଛି । ସେହି ଗିରିର ଉଚ୍ଚ ଉଚ୍ଚ ଶୃଙ୍ଗମାନେ ସବୁବେଳେ ତୁଷାରରେ ଘୋଡ଼ାଇ ହୋଇଥାନ୍ତି । ତଳଭାଗ ଚାରିଆଡ଼େ ନିବିଡ଼ ବନ । କୌଣସି କୌଣସି ସ୍ଥାନରେ ବିସ୍ତୃତ, ତୃଣପୂର୍ଣ୍ଣ ପଦା ଅଛି । ରଖୁଆଳମାନେ ମେଣ୍ଢା ଚରାଇବା ନିମନ୍ତେ ପର୍ବତରେ କୁଟୀର ବନାଇ ରହନ୍ତି । କେବେ କେବେ ଘୋର ଝଡ଼ ହୁଏ । ବଡ଼ ବଡ଼ ଗଛମାନ ପ୍ରଚଣ୍ଡ ପବନ ବେଗରେ ମହୀରେ ଶୁଅନ୍ତି । ଚାରିଆଡ଼େ ତୁଷାର ବୃଷ୍ଟି ହୁଏ । ଆକାଶ ଅନ୍ଧାର ହୋଇଯାଏ । ପଥିକମାନେ ଏପରି ଝଟିକାରେ ପଡ଼ିଲେ ସେମାନଙ୍କର ମୃତ୍ୟୁରୁ ରକ୍ଷା ପାଇବାର କଠିନ ହୁଅଇ ।

 

ଦିନେ ସକାଳେ ଉକ୍ତ ଗିରିରହଣି ଜଣେ ମେଷରଖୁଆଳ ଚାରି ଜଣ ଅତିଥି ସହିତ ଆପଣା କୁଟୀର ମଧ୍ୟରେ ବସି କଥାବାର୍ତ୍ତା କରୁଥିଲେ । ପ୍ରବଳ ବାୟୁ ଯୋଗୁଁ ଗୃହରୁ ବାହାର ହେବା ଦୁଷ୍କର ହୋଇଥିଲା । ଗୃହସ୍ଥ ଅତିଥିମାନଙ୍କୁ ପଚାରିଲେ, ‘‘କାଲି ରାତିରେ କେହି କିଛି ଦେଖିଥିଲ ?’’ ଅତିଥିମାନେ କିଛିକାଳ ତୁନି ହୋଇ ରହିଲେ । ଅନନ୍ତର ଜଣେ କହିଲେ, ‘‘ଦେଖିଥିଲୁଁ ।’’ ଗୃହସ୍ଥ ପଚାରିଲେ, ‘‘କ’ଣ ଦେଖିଥିଲ ?’’ ଅତିଥି କହିଲେ, ‘‘କୌଣସି ଭୟଙ୍କର କଥା ଦେଖିଥିଲୁଁ ।’’ ‘‘ଯାହା ଦେଖିଥିଲ କହ ।’’ ଅତିଥି ବୋଇଲେ, ‘‘ଗଲା ରାତିରେ ଆମ୍ଭେ ଯେତେବେଳେ ଶୋଇବାକୁ ଗଲୁଁ, ଶୋଇବା ଘର କାନ୍ଥରେ ଖଣ୍ଡିଏ ଚିତ୍ରପଟ ଝୁଲୁଥିବାର ଦେଖିଲୁଁ । ଅନନ୍ତର ବିଛଣାରେ ପହଡ଼ ହୋଇ ସ୍ଥିର ଆଖିରେ ସେହି ପଟରେ ଅଙ୍କା ହେଇଥିବା ପ୍ରତିମୂର୍ତ୍ତିକୁ ଅନାଇଥିଲୁଁ । ଦୀପ ମଳିନ ଜଳୁଥିଲା। ଘରେ ଆଉ ନେହି ନଥିଲା । ପ୍ରତିମୂର୍ତ୍ତି ଦେଖି ଆମ୍ଭର ମନରେ ଭୟ ସଞ୍ଚରିଲା । କିପାଇଁ ଏପରି ହେଲା କହିନପାରୁଁ । କ୍ରମଶଃ ଶଙ୍କା ବଢ଼ିଲା । ଆମ୍ଭର ବୋଧେ ହେଲା ଯେ ସେହି ପ୍ରତିମୂର୍ତ୍ତି ପ୍ରତିମୂର୍ତ୍ତି ନୁହଇ, ଗୋଟାଏ ଭୂତ । ଆଖି ବୁଜିଲୁଁ, ନିଦ୍ରା ହେଲା । ନିଦ୍ରାରେ ସୁଦ୍ଧା ଭୂତର ସ୍ୱପ୍ନ ଦେଖିଲୁଁ । ବିଛଣାରୁ ଉଠି ବାହାରକୁ ଆସିଲୁଁ, ଚାରିଦିଗ ଘୋର ଅନ୍ଧକାରରେ ଆଚ୍ଛନ୍ନ। ବୃଷ୍ଟି ହେଉଅଛି । କେବେ କେବେ ଝଟକରେ ପାଖରେ ଥିବା ଗଛମାନେ ଦୃଷ୍ଟିଗୋଚର ହେଉଅଛନ୍ତି । ଗଭୀର ମେଘଗର୍ଜନ, ପୁଣି ପବନ ଘୋର ବେଗରେ ବହୁଅଛି । କେହି ନାହିଁ, ଏକା ବାହାରେ ଅବା କିପରି ରହିବୁଁ ? ଘର ଭିତରକୁ ଗଲୁଁ । ଦୀପ ନିଭିଯାଇଥିଲା । ବିଛଣାରେ ବସିଲୁଁ । ପୁଣି ସେହି ଭୂତର ଭୟ ଉପସ୍ଥିତ ହେଲା । ରକ୍ତ ଜଳ ହୋଇଗଲା । ଦେହ ଥରିଲା । ଆଖି ମେଲିଲେ ସେହି ଭୂତ, ଆଖି ବୁଜିଲେ ସୁଦ୍ଧା ସେହି ଭୂତ । ପୁଣି ବାହାରକୁ ଆସି ଦେଖିଲୁଁ, ସେହିପରି ବୃଷ୍ଟି ହେଉଅଛି, ସେହିପରି ବାଆ ବହୁଅଛି । ପାଞ୍ଚିଲୁଁ, ଯାହା ହେବାର ହେବ, ଆଉ ଘର ଭିତରକୁ ଯିବୁଁ ନାହିଁ । ବାହାର ବଙ୍ଗଳାରେ ଖଣ୍ଡିଏ ମଶିଆ ପଡ଼ିଥିଲା । ସେଥିରେ ରାତିଯାକ ଶୋଇରହିଲୁଁ । ଦେହରେ ଉଷ୍ଣବସ୍ତ୍ର ଥିବା ଶୀତ କଷ୍ଟ ହେଲାନାହିଁ ।’’

 

ଆନ ତିନିଜଣ ଅତିଥି ହସିଲେ ।

 

ଗୃହସ୍ୱାମୀ କହିଲେ, ‘‘ହସିବାର କଥା ନୁହେଟି । ଏ ଯାହା କହିଲେ, ସେଥିରେ ଟିକେ ମିଛ ନାହିଁ । ବାସ୍ତବ ସେ ଛବି ଦେଖିଲେ ଭୟ ଉପୁଜେ ।’’

 

ଅତିଥିମାନେ ପଚାରିଲେ, ‘‘ସେ ଛବି କିଏ ଲେଖିଅଛି ?’’

 

ଗୃହସ୍ଥଙ୍କ ଆଖିରୁ ଜଳ ଝରିଲା । ସେ ଦୀର୍ଘନିଶ୍ୱାସ ଛାଡ଼ିଲେ। କହିଲେ, ‘‘ଜଣେ ଇତାଲିଦେଶୀୟ ଯୁବା ଲେଖିଅଛନ୍ତି । ଆହା ! ତାଙ୍କ କଥା ମନରେ ପଡ଼ିଲେ ଆମ୍ଭର ଶୋକସାଗର ଉଛୁଳେ ।’’

 

ଅତିଥିମାନେ କହିଲେ, ‘‘ଯେବେ ଆପଣଙ୍କର କଷ୍ଟ ନ ହୁଏ, ତେବେ ସେହି ଯୁବାଙ୍କର ବୃତ୍ତାନ୍ତ କହିବା ହେଉନ୍ତୁ ।’’

 

ଗୃହସ୍ୱାମୀ ଆରମ୍ଭ କଲେ–

 

ଆଗରେ ଆମ୍ଭେ ବିନିସ୍ ନଗରରେ ଥଲୁଁ । ଦିନେ ଦାଣ୍ଡରେ ବୁଲୁଁ ବୁଲୁଁ ଦେଖିଲୁଁ, ଦଶବାର ଜଣ ଇତାଲୀୟ ମନୁଷ୍ୟ ଏକମେଳ ହୋଇ ଆନନ୍ଦରେ କଥାବାର୍ତ୍ତା କରୁଅଛନ୍ତି । ସେମାନଙ୍କ ମଧ୍ୟରେ ଏକ ତରୁଣବୟସ୍କ ପୁରୁଷ ଥିଲେ । ସେ ଅନ୍ୟମନା ହୋଇ ବସିଥିଲେ । କେବେ କେବେ ସଙ୍ଗୀ ଲୋକମାନଙ୍କ ସହିତ ମିଳି ହସୁଥିଲେ, ମାତ୍ର ସେହି ହାସ୍ୟ ଆନ୍ତରିକ ବୋଲି ବୋଧ ହେଉନଥିଲା । ସେ ଦୀର୍ଘାକୃତି, ପୁଣି କୃଶ ଥିଲେ। ଦେଖିବାକୁ ଅତି ସୁନ୍ଦର ଥିଲେ । ଆମ୍ଭେ ସେଦିନ ସେଠାରୁ ନେଉଟି ଆସିଲୁଁ ।

 

ଅନନ୍ତର ଦିନକରେ ଆମ୍ଭର କୌଣସି ଧନୀ ବନ୍ଧୁ ଆମ୍ଭକୁ ନିମନ୍ତ୍ରିଲେ । ଆମ୍ଭେ ନିରୂପିତ ସମୟରେ ତାଙ୍କ ଘରେ ପ୍ରବେଶ ହେଲୁଁ । ସେଠାରେ ବଡ଼ ଗହଳ ହୋଇଥିଲା । ନିମନ୍ତ୍ରିତ ବ୍ୟକ୍ତିମାନେ ମଉଜରେ ବସି ଗୀତ ଗାଉଥିଲେ । ପ୍ରଶଂସିତ ଯୁବାଙ୍କୁ ସୁଦ୍ଧା ସେଠାରେ ଦେଖିଲୁଁ । ମାତ୍ର ପୂର୍ବରେ ଯେପରି ଦେଖିଥିଲୁଁ, ସେହିପରି ନୁହଁ । ଏଥିରେ କୌଣସି ଗୂଢ଼ ହେତୁ ଥିବ, ଏହା ପାଞ୍ଚି ତାହା ଜାଣିବାପାଇଁ ଆମ୍ଭର କୌତୂହଳ ହେଲା । ତାହାଙ୍କ ସହିତ ପରିଚିତ ହେବା ନିମନ୍ତେ ଆମ୍ଭର ଏକାନ୍ତ ବାସନା ହେଲା ସେହି ସୁନ୍ଦର ମୁଖଚନ୍ଦ୍ରମାକୁ ଶୋକଘନରେ ଆବୃତ ଦେଖି ଆମର ଅତ୍ୟନ୍ତ ଦୁଃଖ ହେଲା । ପୁରୁଷଙ୍କ ଲାବଣ୍ୟରେ ପୁରୁଷେ ସୁଦ୍ଧା ମୁଗ୍‌ଧ ହୁଅନ୍ତି। ଆମ୍ଭେ ଯୁବକଙ୍କୁ ରୂପ ଦେଖି ମୋହିତ ହେଲୁଁ ।

 

ଯେତେବେଳେ ସେହି ଯୁବା ବୁଝି ପାରିଲେ ଯେ ତାଙ୍କ ସହିତ ମିତ୍ରତା କରିବା ନିମନ୍ତେ ଆମ୍ଭର ଆନ୍ତରିକ ବାଞ୍ଛା ହୋଇଅଛି, ସେ ଥରକୁଥର ଆମ୍ଭ ଗୃହକୁ ଆସିଲେ । ଦୁହିଁଙ୍କ ମଧ୍ୟରେ ପ୍ରୀତି ହେଲା । ତେଣିକି ଏପରି ଘନିଷ୍ଠତା ହେଲା ଯେ ଯୁବକ ପୂର୍ବ ବାସସ୍ଥାନ ଛାଡ଼ିଦେଇ ଆମ୍ଭ ପାଖରେ ଥିବା ଘରେ ଆସି ରହିଲେ । ଦୁହେଁ ସବୁବେଳେ ସାଙ୍ଗ ହୋଇ ଆହାରାଦି କରୁଁ ।

 

ଏହିରୂପେ କିଛିଦିନ ଗଲା । ଦିନେ ଆମ୍ଭେ ତାଙ୍କୁ ପଚାରିଲୁଁ, ‘‘ମିତ୍ର ! ତୁମ୍ଭେ କାହିଁକି ଏପରି ବିଷର୍ଣ୍ଣ ଭାବରେ ଥାଅ ? ତୁମ୍ଭର କାରଣ କ’ଣ ?’’

 

ଯୁବା କହିଲେ, ‘‘ମିତ୍ର ! କାହିଁକି ଏହା ପଚାରିଲେ ? ଆମ୍ଭକୁ ସେହି ଦୁଃଖରୁ ମୁକୁଳାଇବାର ତୁମ୍ଭର ସାଧ୍ୟ ନୁହେ । ଆମ୍ଭର ମାନସିକ ରୋଗ ମୋଚନର ଆନ ଉପାୟ ନାହିଁ । ମରଣ ଏକମାତ୍ର ଉପାୟ ଅଟେ ।’’

 

ତାହା ଶୁଣି ଆମ୍ଭେ ଉତ୍କଣ୍ଠିତ ହେଲୁଁ । କହିଲୁଁ, ‘‘ମିତ୍ର ! ଆମ୍ଭଠାରେ ତୁମ୍ଭର ମନୋବେଦନା ଫେଡ଼ି କହିଲା ଅନେକ ଊଣା ହୋଇଯିବ । ଫେଡ଼ି କହ ।’’

 

ଯୁବା ଦୁଃଖିତ ହୋଇ କହିଲେ, ‘‘ନା ମିତ୍ର, ଆମ୍ଭର ଦୁଃଖ ସମାନ୍ୟ ନୁହେଁ । ଆମ୍ଭେ ଏହିକ୍ଷଣି ତାହା ବୋଲି ପାରିବୁଁ ନାହିଁ । କିଛି ଦିନ ଉତ୍ତାରୁ ଜାଣିବ ।’’ ଆମ୍ଭେ ପୁଣି ସେଥିର ପ୍ରସଙ୍ଗ ନ କଲୁଁ ।

 

ଯୁବାଙ୍କର ସେହି ମାନସିକ ରୋଗ ସଂକ୍ରାମକ ପ୍ରାୟ ହେଲା । ନିତି ଏକତ୍ର ରହିବା ହେତୁରୁ ଆମ୍ଭେ ସୁଦ୍ଧା ତାଙ୍କ ପରି ବିଷର୍ଣ୍ଣ ହେଲୁଁ । ଆମୋଦରୁ ମନ ମାରିଦେଲୁଁ । ମାତ୍ର ଏମନ୍ତ ହେଲେହେଁ ତାଙ୍କ ସହବାସ ଛାଡ଼ିବାକୁ ଇଚ୍ଛା ହେଲା ନାହିଁ । ସେହି ଯୁବା ମିତ୍ର ଅତ୍ୟନ୍ତ ଦାତା ଥିଲେ-। ଦରିଦ୍ରମାନେ ତାଙ୍କର ଅସାଧାରଣ ଦାତାପଣ ଦେଖି ବିସ୍ମୟ ମଣୁଥିଲେ । ସେ ଯାହାକୁ ଯାହା ଦେଉଥିଲେ ପ୍ରସନ୍ନମନରେ ଲୁଚାଇ ଦେଉଥିଲେ । ମାତ୍ର ଆପେ କେବେହେ ସୁଖର ଅଭିଳାଷୀ ନଥିଲେ । କହୁଥିଲେ, ‘‘ଆମ୍ଭ ପରି ଅପରାଧୀମାନଙ୍କର ସୁଖରେ ଅଧିକାର ନାହିଁ ।’’

 

ଦିନେ କୌଣସି ମହାପର୍ବ ଥିବାରୁ ଆମ୍ଭେ ତାଙ୍କ ସହିତ ଗିରିଜାକୁ ଗଲୁଁ । ସେଠାରେ ଅନେକ ପ୍ରକାର ବାଜା ବାଜୁଥିଲା । ଦୁଇଜଣ ଆରାଧନାରେ ରତ ହେଲୁଁ । ଆରାଧନାବେଳେ ସେହି ଯୁବା ହାତ ଯୋଡ଼ି ଉପରକୁ ଚାହିଁ ପ୍ରଭୁଙ୍କୁ ସ୍ତୁତି କଲେ । ଆଖିରୁ ଲୋତକ ପଡ଼ିଲା । ଆରାଧନାନ୍ତେ ଦୁହେଁ ଘରକୁ ଆସିଲୁଁ । ନେଉଟି ଆସିବାବେଳେ ଯୁବା କହିଲେ, ‘‘ଆହା ! ଈଶ୍ୱର ସଂକୀର୍ତ୍ତନରେ ଏମନ୍ତ ରସ ଅଛି ଯେ କଥାରେ କହି ହେବ ନାହିଁ । ସଂକୀର୍ତ୍ତନ ଶୁଣି ଆମ୍ଭର ମନ ତରଳିଗଲା । ରାତି ହେବାରୁ ଯୁବା ବସାକୁ ଗଲେ । ଆମ୍ଭେ ଶୋଇଲୁଁ । ଆର ଦିନ ସକାଳେ ସେହି ଯୁବା ଆମ୍ଭ ଘରକୁ ଆସିଲେ । ତାଙ୍କର ଡାହାଣ ହାତରେ ଗୋଟିଏ ପୁଲିନ୍ଦା ଥିଲା । ଆମ୍ଭ ବିଛଣା ପାଖରେ ଛିଡ଼ା ହୋଇ କହିଲେ, ‘‘ମିତ୍ର ! ଆମ୍ଭେ କୌଣସି ଦୂର ଦେଶକୁ ଯିବୁଁ, ମାତ୍ର ଯିବା ଆଗରୁ ତୁମ୍ଭଠାରେ ଏହି ପୁଲିନ୍ଦା ରଖି ଯାଉଅଛୁଁ । ଏଥିରୁ ଆମ୍ଭର ସବୁ କଥା ଜାଣିବ । ଆମ୍ଭେ ଯେତେବେଳେ ବହୁ ଦୂରରେ ଥିବୁଁ, ତୁମ୍ଭେ ତାହା ପଢ଼ିବ । ଆମ୍ଭକୁ ପାସୋରିବ ନାହିଁ। ମିତ୍ର ! ତୁମ୍ଭେ ଆମ୍ଭର ଅପାର ଉପକାର କରିଅଛ । ମଲାଯାଏ ତୁମ୍ଭଠାରେ ଧାରୁଆ ହୋଇ ରହିଲୁଁ । ଏବେ ମେଲାଣି ମାଗୁଅଛୁଁ, ଆମ୍ଭକୁ ଆଲିଙ୍ଗନ କର। ନା, ମିତ୍ର! ଆମ୍ଭେ ତୁମ୍ଭର ଆଲିଙ୍ଗନର ଯୋଗ୍ୟ ନୋହୁଁ। ପାପିଷ୍ଠକୁ ଛୁଇଁଲେ ତୁମ୍ଭର ପବିତ୍ର ଦେହ ଦୂଷିତ ହେବ ।’’ ତାଙ୍କର ସହସା ଯିବାର କଥା ଶୁଣି ଆମ୍ଭର ତୁଣ୍ଡ ଫିଟିଲା ନାହିଁ । କିଛିକାଳ ଉତ୍ତାରୁ କହିଲୁଁ, ‘‘ପୁଣି ତୁମ୍ଭକୁ କେବେ ଦେଖିବୁଁ ?’’ ଯବୁ କହିଲେ, ‘‘ନା, ଆଉ ଏ ଜନ୍ମରେ ଦେଖା ହେବ ନାହିଁ ।’’

 

ଏହା କହି ଅଶ୍ରୁପୂର୍ଣ୍ଣ ନେତ୍ରରେ ଘରୁ ବାହାରିଲେ ।

 

ଅତିଥିମାନେ ପଚାରିଲେ, ‘‘ଯୁବା କି ପୁଣି ନେଉଟି ଆସିଥିଲେ?’’ ଗୃହସ୍ଥ କହିଲେ, ‘‘ନା, ଆଉ ତାଙ୍କୁ ଦେଖି ନାହୁଁ ।’’

 

ଅତିଥିମାନେ କହିଲେ, ‘‘ଆପଣ ଯାହା କହିବା ହେଲେ, ତହିଁରେ ଛବିର ତ କୌଣସି କଥା ନାହିଁ ।’’

 

ଗୃହସ୍ଥ କହିଲେ, ‘‘ହଁ, ସେହି ଚିତ୍ର ଆମ୍ଭର ସେହି ଯୁବା ବନ୍ଧୁ ଆଙ୍କିଥିଲେ । ସେ ଗୋଟିଏ ଭୂତର ଛବି । ସେହି ଯୁବାଙ୍କର ନିଜ ଲିଖିତ ବିବରଣ ଆମ୍ଭଠାରେ ଅଛି ।’’

 

ଅତିଥିମାନେ କହିଲେ, ‘‘ଶୁଣିବା ପାଇଁ ଆମ୍ଭମାନଙ୍କର ବଡ଼ କୌତୂହଳ ହେଉଅଛି। ଯେବେ ଆପତ୍ତି ନଥାଏ, ପଢ଼ିବା ହେଉନ୍ତୁ ।’’

 

ଗୃହସ୍ଥ ପଢ଼ିଲେ–

 

ଆମ୍ଭେ ନେପ୍‌ଲସ୍ ନଗରରେ ଜନ୍ମିଥିଲୁଁ । ଆମ୍ଭର ପିତାମାତା ସଦ୍‌ବଂଶଜାତ ଥିଲେ । ମାତ୍ର ସେମାନଙ୍କର ଅଧିକ ସଙ୍ଗତି ନଥିଲା । ପିତା ଅତ୍ୟନ୍ତ ଅମିତବ୍ୟୟୀ ଥିଲେ । ଅଟ୍ଟାଳିକା ବନାଇବାରେ, ଅନେକ ବାହନ ଓ ଭୃତ୍ୟ ରଖିବାରେ, ପୁଣି ସେହିପରି ବ୍ୟୟସାଧ୍ୟ ବିଷୟମାନଙ୍କରେ ସେ ବିସ୍ତର ଉଡ଼ାଉଥିଲେ । ସେଥିନିମନ୍ତେ ସେ କେବେ ଦୁର୍ଦ୍ଦଶାଗ୍ରସ୍ତ ହେଉଥିଲେ । ଆମ୍ଭେ ତାଙ୍କର କନିଷ୍ଠ ପୁତ୍ର ଥିଲୁଁ । ଦୁର୍ଭାଗ୍ୟକ୍ରମେ ଆମ୍ଭେ ପରିବାର ମଧ୍ୟରେ ଏହି କୁପ୍ରଥା ପ୍ରଚଳିତ ଥିଲା ଯେ, ଜ୍ୟେଷ୍ଠ ପୁତ୍ର ପିତାଙ୍କର ସବୁ ସମ୍ପତ୍ତିର ଉତ୍ତରାଧିକାରୀ ହେବେ । ପୁଣି ପିତା ଆମ୍ଭକୁ ନିତାନ୍ତ ଅପଦାର୍ଥ ମଣୁଥିଲେ । ଆମ୍ଭର ମନ ଅତ୍ୟନ୍ତ ମୃଦୁ ଥିଲା । ଅଳ୍ପ କଥାରେ ଆମ୍ଭେ ଦୁଃଖିତ ଅଥବା ହୃଷ୍ଟ ହେଉଥିଲୁଁ । ଯେଉଁ ସମୟରେ ଆମ୍ଭେ କଥା କହିବାକୁ ଶିଖିନଥିଲୁଁ, ସେ ସମୟରେ ସୁଦ୍ଧା ଗୀତ ଶୁଣି ଆମ୍ଭର ଆନନ୍ଦ ଅଥବା ଦୁଃଖ ଜନ୍ମୁଥିବା । ବୟୋବୃଦ୍ଧି ସଙ୍ଗେ ମାନସିକ ବୃତ୍ତିମାନ ସତେଜ ହେବାକୁ ଲାଗିଲେ । ଆମ୍ଭେ କୁଟୁମ୍ବମାନଙ୍କର ନାଟୁ ପ୍ରାୟ ହୋଇଥିଲୁଁ । ସେମାନଙ୍କର ଯେତେବେଳେ ଇଚ୍ଛା ହେଉଥିଲା, ଆମ୍ଭକୁ କ୍ରୁଦ୍ଧ ବା ବିଷଣ୍ଣ କରି ଆମୋଦ କରୁଥିଲେ । ସମସ୍ତେ ଠୁଳ ହୋଇ ଆମ୍ଭଙ୍କୁ ଚଳାଉଥିଲେ । ତହିଁରେ ଆମ୍ଭର କ୍ରୋଧର ଅବଧି ରହୁନଥିଲା । ଆମ୍ଭଠାରେ ଏପରି ବ୍ୟବହାର କଲେ ପଛକୁ ଯେ ଆମ୍ଭର କେଡ଼େ ଅନିଷ୍ଟ ହେବେ, ସେମାନେ ଭ୍ରମରେ ସୁଦ୍ଧା ଏହା ଭାଳୁ ନଥିଲେ । ଏହି ରୂପେ ଜ୍ଞାନୋଦୟ ହେବା ଆଗେ ଆମ୍ଭର ଅନ୍ୟାନ୍ୟ ରିପୁମାନେ ପ୍ରବଳ ହେଲେ । କ୍ରମଶଃ ସବୁ ଲୋକଙ୍କଠାରେ ଆମ୍ଭେ ଅନାଦରପାତ୍ର ହେଲୁଁ । ଦୁଃଖ ଉପରେ ଦୁଃଖ ପଡ଼େ। ଆମ୍ଭର ଜନନୀ ପରଲୋକ ପ୍ରାପ୍ତ ହେଲେ । ପୁଅ ଦୁଷ୍ଟ ହେଲେ ସୁଦ୍ଧା ଜନନୀ ମାୟା ଛାଡ଼ି ପାରନ୍ତି ନାହିଁ । ଆମ୍ଭଠାରେ ମା’ଙ୍କର ଅତ୍ୟନ୍ତ ସ୍ନେହ ଥିଲା । ଦୁର୍ଦୈବକୁ କିଏ ନିବାରିବ ? ତାଙ୍କର ମୃତ୍ୟୁରେ ଆମ୍ଭର ଶୋକସିନ୍ଧୁ ଉଛୁଳିଲୁ ? ପିତାଙ୍କର ଅପ୍ରିୟପାତ୍ର ଥିଲୁଁ । ତେଣୁ ଆମ୍ଭର କଷ୍ଟର ସୀମା ନ ରହିଲା । ସମସ୍ତେ ଆମ୍ଭଠାରେ ଶତ୍ରୁପରି ଆଚରିଲେ । ପିତା କେବେହେଁ ସ୍ନେହ ଆଖିରେ ଚାହୁଁ ନଥିଲେ । ଏହିରୂପେ ଆମ୍ଭର ଶୈଶବ କାଳ ଗଲା ।

 

ଆମ୍ଭେ ପୂର୍ବରେ କହିଅଛୁଁ ଯେ, ପିତାଙ୍କର ଅନାଦର ପାତ୍ର ଥିଲୁଁ । ବସ୍ତୁତଃ ଆମ୍ଭର ମନ କିପରି ଥିଲା, ସେ ଜ୍ଞାନ ନଥିଲେ । ପୁଣି ଆମ୍ଭକୁ ନିପଟ ନିର୍ବୋଧ ଏବଂ ଅବାଧ୍ୟ ମଣୁଥିଲେ । ଆମ୍ଭେ ଯେବେ କୌଣସି ସମୟରେ ତାଙ୍କ ପାଖକୁ ଯାଉଥିଲୁଁ, ତାଙ୍କର ଅଶ୍ରଦ୍ଧାଯୁକ୍ତ ମୁଖଭଙ୍ଗୀ ଦେଖି ବିରକ୍ତ, ପୁଣି ଭୀତ ହେଉଥିଲୁଁ । ସେ କେବେ ହସି ଆମ୍ଭ ସଙ୍ଗେ କଥାବାର୍ତ୍ତା କହୁ ନଥିଲେ । ତାଙ୍କର ସେହି ଭ୍ରୂକୁଟି କୁଟିଳ ମୁଖ ଦେଖିବାକ୍ଷଣି ଆମ୍ଭର ଦେହ ଥରୁଥିଲା । ପ୍ରୀତ ହୋଇ କଦାଚ ତାଙ୍କ ପାଖକୁ ଯାଉନଥିଲୁଁ ।

 

ବଡ଼ଭାଇ ପିତାଙ୍କର ଅତି ପ୍ରିୟପାତ୍ର ଥିଲେ, ପୁଣି ସବୁ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ-। ତାଙ୍କର ଅଧୀନ ହୋଇ ରହିବାକୁ ଆମ୍ଭର ପ୍ରବୃତ୍ତି ହେଲା ନାହିଁ । କୌଣସି ମଠରେ ରହିବା ନିମନ୍ତେ ମନ ବଳିଲା । ମଠରେ ରହିଲେ ସ୍ୱାଧୀନ ହୋଇପାରିଲୁଁ, ଏହା ଭାଳି ସେହି ବାସନା ଆହୁରି ପ୍ରବଳ ହେଲା । ସେହି ସମୟରେ ଆମ୍ଭର ବୟଃକ୍ରମ ଅଧିକ ହୋଇ ନଥିଲା । ସଂସାର ସୁଖ କିପରି ଜାଣିବାକୁ ସମର୍ଥ ହୋଇ ନଥିଲୁଁ । ଏପରି ଅବସ୍ଥାରେ ଏକ ମଠକୁ ପ୍ରେରିତ ହେଲୁଁ ।

 

ଆମ୍ଭର ପିତୃବ୍ୟ ସେହି ମଠର ମହନ୍ତ ଥିଲେ । ସେ କେବେହେଁ ସଂସାରସୁଖର ସ୍ୱାଦ ପାଇ ନଥିଲେ । ତେଣୁ ସୁଖ-ଇଚ୍ଛା ତାଙ୍କ ହୃଦୟରେ କେବେ ସ୍ଥାନ ଲଭି ନଥିଲା । ସେ ଅତ୍ୟନ୍ତ ସଂଯମୀ ଥିଲେ ଏବଂ ସଂଯମକୁ ମହାପୁଣ୍ୟ ଗଣୁଥିଲେ। ତାଙ୍କର ମନୋବୃତ୍ତି ଯେପରି ସମସ୍ତଙ୍କର ସୁଦ୍ଧା ସେହିପରି ବୋଲି ତାଙ୍କର ବିଶ୍ୱାସ ଥିଲା । ଯେଉଁ ମଠରେ ସେ ଅଧ୍ୟକ୍ଷ ଥିଲେ, ସେ ମଠର ସନ୍ନ୍ୟାସୀମାନେ ତାଙ୍କୁ ଯଥେଷ୍ଟ ଭକ୍ତି କରୁଥିଲେ । ପ୍ରତିପଦରେ ତାଙ୍କୁ ଚାହିଁ ଚଳୁଥିଲେ । ସେମାନେ ସୁଦ୍ଧା ସଂସାରସୁଖରୁ ହୀନ ଥିଲେ । ପୁଣି ସେହି ମଠ ଏପରି ନିର୍ଜନ ସ୍ଥଳରେ ସ୍ଥାପିତ ଥିଲା ଯେ ସେଠାରେ ପ୍ରବେଶ ହେଲେ ଭୟ ଏବଂ ଦୁଃଖରେ ହୃଦୟ ଆକୁଳ ହୁଏ । ସେହି ମଠ ଭିସୁଭିୟସ୍ ଆଗ୍ନେୟଗିରିର ଏକ ଗହନ ବନ ମଧ୍ୟରେ ଅବସ୍ଥିତ ଥିଲା । ସେହି ସ୍ଥାପର ଚାରିଆଡ଼େ ଉଚ୍ଚ ଶୈଳଶିଖରଶ୍ରେଣୀ । ପାଖରେ ଗୋଟିଏ ନଦୀ । ସେହି ନଦୀର କଳକଳ ଶବ୍ଦ ଦ୍ୱାରା ମନରେ ଗଭୀର ଭାବର ଉଦୟ ହୁଅଇ ।

 

ଶିକାରୀ ପକ୍ଷୀମାନେ ଖାଦ୍ୟ ଲୋଡ଼ିବା ପାଇଁ ଏଣେ ତେଣେ ଉଡ଼ୁଥାନ୍ତି । ଭୟଙ୍କର ଶ୍ୱାପଦ ପଶୁମାନେ ଆହାର ନିମନ୍ତେ ଭ୍ରମୁଥାନ୍ତି । କେଉଁଠାରେ ଉଚ୍ଚଠାରେ ଉଚ୍ଚ ଉଚ୍ଚ ଗଛମାନ ଶାଖା ବାହୁ ବସ୍ତାରି ଉଭା ହୋଇଅଛନ୍ତି। କେଉଁଠାରେ ଦୁର୍ଗମ କଣ୍ଟା ବନ, କେଉଁଠାରେ ଗଛମାନଙ୍କରେ ଲତା ମାଡ଼ିବାରୁ ତଳେ ଆଲୁଅ ପଡ଼ୁନାହିଁ । ଗୁଡ଼ାଏ କ’ଣ କହିବୁଁ, ସେହି ସ୍ଥଳ ଗାମ୍ଭୀର୍ଯ୍ୟର ବାସଭୂମି ପ୍ରାୟ ହୋଇଥିଲା ।

 

ପିଲାକାଳରେ ଆମ୍ଭେ ସେଠାକୁ ପ୍ରେରିତ ହୋଇଥିଲୁଁ । ତେଣୁ ତାହା ପୂର୍ବରେ ଯାହା ଦେଖିଥିଲୁଁ ଅବା ଶୁଣିଥିଲୁଁ, ତାହା ଚଞ୍ଚଳ ପାସୋରିଲୁଁ । ବୟସ ବୃଦ୍ଧି ସଙ୍ଗେ ଆମ୍ଭର ମାନସକ୍ଷେତ୍ର ବିସ୍ତୃତ ହେବାକୁ ଲାଗିଲା । ସେହି ମଠର ନିର୍ଜନତା ଏବଂ ଗଭୀରତା ହେତୁରୁ ମହୀ ଆମ୍ଭକୁ ଦୁଃଖଘର ପ୍ରାୟ ଦିଶିଲା । ଏହିରୂପେ ପିଲାକାଳର ପ୍ରଫୁଲ୍ଲତା ଆମ୍ଭକୁ ଛାଡ଼ିଗଲା । ପୁଣି ସେଠାର ଲୋକମାନେ ଭୟ ଦେଖାଇବା ନିମନ୍ତେ ନାନା ପ୍ରକାର ଭୂତପ୍ରେତଙ୍କର କାହାଣୀ କହୁଥିଲେ । ସେହି ଅମୂଳକ କାହାଣୀ ଶୁଣି ଆମ୍ଭର ମନ ବିକୃତ ହେଲା । ଘରେ ଯେପରି କଷ୍ଟ ଭୋଗ କରିଥିଲୁଁ, ସେଠାରେ ମଧ୍ୟ ସେହିପରି ହେଲା । ଦିନେ ଭିସୁଭିୟସ୍ ପର୍ବତର ଅଗ୍ୟୁତ୍ପାତ ହେବାରୁ ସେମାନେ ଆମ୍ଭକୁ ଯେପରି ଭୟ ଦେଖାଇଥିଲେ, ତାହା ଆଜିଯାଏ ଆମ୍ଭ ମନରୁ ଯାଉନାହିଁ । ସେହି ପର୍ବତଠାରୁ ଆମ୍ଭେମାନେ ଅନେକ ଦୂରରେ ଥିଲୁଁ । ମଧ୍ୟରେ ଯୋଡ଼ିଏ ପର୍ବତ ଥିଲା । କି ଆଶ୍ଚର୍ଯ୍ୟ ! ଏମନ୍ତ ହେଲେ ହେଁ ଆମ୍ଭର ବାସସ୍ଥଳ କମ୍ପିଲା । ପୁଣି ଭୂମିକମ୍ପ ହେବାରୁ ଆମ୍ଭେ ଅତିଶୟ ଭୀତ ହେଲୁଁ । ମଠର ବଡ଼ ବଡ଼ ଘର ନିଶ୍ଚେ ପଡ଼ିଯିବ, ଆମ୍ଭର ଏହି ଆଶଙ୍କା ହେଲା । ରାତିରେ ଆକାଶ ରକ୍ତବର୍ଣ୍ଣ ହେଲା । ଆମ୍ଭର ଅପ୍ରଶସ୍ତ ଉପତ୍ୟକାରେ ପ୍ରବଳ ବାୟୁ ବହିଲା, ଭସ୍ମ ବର୍ଷିଲା । ଆମ୍ଭେ ସନ୍ନ୍ୟାସୀମାନଙ୍କୁ ଏହି ଅଭୁତ ଘଟନାର ହେତୁ ପଚାରିଲୁଁ । ସେମାନେ କହିଲେ ଯେ, ଆମ୍ଭମାନଙ୍କର ବାସସ୍ଥାନ ତଳେ ଧାତୁସ୍ରୋତ ବହୁଅଛି, ଭୟଙ୍କର ଅଗ୍ନି ଗର୍ଜୁଅଛନ୍ତି । ଆହୁରି ମଧ୍ୟ କହିଲେ ଯେ ତଳେ ପାତାଳରେ ଭୂତମାନଙ୍କର ବାସଭୂମି । ସେଠାରେ ତରଳ ଅଗ୍ନିପୂର୍ଣ୍ଣ ଭୟଙ୍କର ଗାତ ଅଛି । ସେମାନଙ୍କର ଏହି ଶଙ୍କାଜନକ ଗଳ୍ପ ଶୁଣି ଆମ୍ଭେ ବଡ଼ ଡରିଲୁଁ । ସେହି ସମୟରେ ବଜ୍ର ଘଡ଼ଘଡ଼ି ହେଉଥିଲା । ସେହି ଶବ୍ଦଦ୍ୱାରା ଆମର ଭୟ ଆହୁରି ବଢ଼ିଲା ।

 

ମଠର ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଜଣେ ପୂର୍ବରେ ଚିତ୍ରକର ବ୍ୟବସାୟ ଦ୍ୱାରା ଜୀବିକା ଚଳାଉଥିଲେ; କୌଣସି ଗୁରୁ ଅପରାଧଗ୍ରସ୍ତ ହୋଇ ସେଥିର ପ୍ରାୟଶ୍ଚିତ ନିମନ୍ତେ ସେହି ମଠରେ ଆସି ରହିଲେ । ତାଙ୍କର ମୁହଁ ଦେଖି ଜାଣିଲୁଁ ଯେ ତାଙ୍କ ଦୁଃଖଶେଳ ଫୁଟିଅଛି । ସେ ଗୋଟାଏ ଗହ୍ୱର ଭିତରେ ବସି ଚିତ୍ର କରୁଥାନ୍ତି। ଚିତ୍ର କରିବାବେଳେ ତାଙ୍କ ଆଖିରୁ ଲୋତକ ଝରୁଥାଏ । କୀଟପତଙ୍ଗମାନେ ତାଙ୍କର ଭକ୍ଷ୍ୟ ଥିଲେ । ସେହିତା ଖାଇ ସେ ପ୍ରାଣ ବଞ୍ଚାଉଥିଲେ । ହୟ ! ସେହି ସବୁ ମନରେ ପଡ଼ିଲେ ଭୟରେ ଦେହ ଶିତେଇଉଠେ । ତଥାପି ତାଙ୍କଠାରୁ ଚିତ୍ରବିଦ୍ୟା ଶିଖିବାକୁ ଆମ୍ଭର ମନ ବଳିଲା । ମନ ଲଗାଇ ଶିଖିଲୁଁ ଏବଂ ଅଳ୍ପକାଳ ମଧ୍ୟରେ କିଞ୍ଚିତ୍ ପଟୁତା ଲଭିଲୁଁ । କ୍ରମଶଃ ସେହି ବିଷୟରେ ପ୍ରଶଂସାଭାଜନ ହେଲୁଁ ।

 

ଏହିପରି ସ୍ଥାନରେ ଆମ୍ଭେ ବାଲ୍ୟକାଳ ଗମିଲୁଁ । ଏହିଠାରେ ଆମର ଶିକ୍ଷାଦି ହେଲା । ଆମ୍ଭର ଭଲ ମନୋବୃତ୍ତିମାନ କ୍ରମେ କ୍ରମେ ଝାଉଁଳିଗଲେ । କୁପ୍ରବୃତ୍ତିମାନ ଦିନକୁ ଦିନ ପ୍ରବଳ ହେଲେ । ଆମ୍ଭେ ସ୍ୱଭାବରେ ଚଞ୍ଚଳ ଓ ବ୍ୟଗ୍ର ଥିଲୁଁ; ପୁଣି ଆମ୍ଭଠାରେ ଉତ୍ତମ ଗୁଣର ଅଭାବ ନଥିଲା । କିନ୍ତୁ କ’ଣ ହେବ, ସେ ସଦ୍‌ଗୁଣମାନଙ୍କର ଉନ୍ନତି ନ ହୋଇ ବରଂ କ୍ରମଶଃ ଅବନତି ହେବାକୁ ଲାଗିଲା। ଆମ୍ଭେ କେବଳ ମାତ୍ର ଭୟ ଏବଂ ଘୃଣା କରିବାକୁ ଶିଖିଥିଲୁଁ । ମନରେ ପିତୃବ୍ୟଙ୍କୁ ଘୃଣା କରୁଥିଲୁଁ । ସନ୍ନ୍ୟାସୀମାନେ ମଧ୍ୟ ଆମ୍ଭର ଘୃଣାପାତ୍ର ହେଲେ। ସେହି ମଠ ଆମ୍ଭଙ୍କୁ ବିରକ୍ତିକର ବୋଧ ହେଲା । ସଂସାରକୁ ଅସାର ମଣିଲୁଁ । ପୁଣି ସ୍ୱୟଂ ଏପରି ଘୃଣାକାରୀ ଏବଂ ଘୃଣାସ୍ପଦ ହୋଇଥିଲୁଁ ବୋଲି ଆପଣା ଜୀବନକୁ ସୁଦ୍ଧା ଘୃଣା କଲୁଁ ।

 

ଯେଉଁ ସମୟରେ ଆମ୍ଭର ଷୋଳ ବର୍ଷ ବୟଃକ୍ରମ ହୋଇଥିଲା, କାର୍ଯ୍ୟପାଇଁ ସନ୍ୟାସୀମାନଙ୍କ ସଙ୍ଗେ କୌଣସି ସ୍ଥାନକୁ ଯିବା ନିମନ୍ତେ ଆମ୍ଭ ପିତୃବ୍ୟ ଆମ୍ଭକୁ ଅନୁମତି ଦେଲେ । ଆମ୍ଭେ ଯେ ଉପତ୍ୟକାରେ ବହୁଦିନ କାରାବଦ୍ଧ ପ୍ରାୟ ଥିଲୁଁ, ସେହି ଉପତ୍ୟକାରୁ ବାହାରିଲୁଁ । ପର୍ବତ ଉପରେ ଯାଉଁ ଯାଉଁ ନେପ୍‌ଲସ୍ ଉପସାଗର ତୀରଦେଶ ଦିଶିଲା । ଆଃ ! ସେହି ସମୟରେ ଆମ୍ଭ ମନରେ ଯେପରି ଆନନ୍ଦ ଜାତ ହେଲା, ତାହା ବାକ୍ୟରେ କହି ନୁହଇ । ସେହି ଦେଶର ଶୋଭା ଦେଖି ଆମ୍ଭର ଅନିର୍ବଚନୀୟ ପ୍ରୀତି ଉପୁଜିଲା । କେଉଁ ସ୍ଥାନରେ ଲତାମଣ୍ଡପ ଶୋଭା ପାଉଅଛି, କେଉଁ ସ୍ଥାନରେ ଦ୍ରାକ୍ଷାଲତା ଫଳଭାବରେ ନଇଁ ସାଗରପବନରେ କମ୍ପୁଅଛି । ଆମ୍ଭ ଦକ୍ଷିଣ ପାର୍ଶ୍ୱରେ ପର୍ବତରାଜ ଭିସୁଭିୟସର ଉଚ୍ଚ ଚୂଡ଼ା ଆକାଶ ପରଶୁଅଛି । ବାମ ଭାଗରେ ଭୂମଧ୍ୟ ସାଗରର ନୀଳ ଜଳରେଖା ଦିଶୁଅଛି । ସମୁଦ୍ରର କୂଳ ସାନ ସାନ ପରିଷ୍କୃତ କୁଟାରମାନଙ୍କରେ ଅଳଂକୃତ ହୋଇଥିଲା । ସେହି ସ୍ଥଳରୁ ପ୍ରାସାଦ-ଶ୍ରେଣୀଶୋଭିତ ନେପ୍‌ଲସ୍ ନଗର ଦେଖିବାକୁ ପାଇଲୁଁ ।

 

ହା ଦୈବ ! ଆମ୍ଭେ କି ଏହି ସୁଖାଗାର ସଂସାରରୁ ଏତେ ଦିନ ବଞ୍ଚିତ ଥିଲୁଁ ? ଆମ୍ଭର ମନ ସତେଜ ଥିଲା, ମାତ୍ର ବହୁକାଳ ଉପଦ୍ରବ ସହିବାରୁ ସେହି ତେଜ ଊଣା ପଡ଼ିଯାଇଥିଲା । ଗିରିଝର ଉଚ୍ଚସ୍ଥାନରୁ ଯେପରି ବେଗରେ ପଡ଼େ, ଆମ୍ଭ ମାନସିକ ଭାବର ବେଗ ସୁଦ୍ଧା ସେହିପରି ହେଲା । ସଙ୍କୁଚିତ ହୃଦୟ ବିସ୍ତୃତ ହେଲା । ପ୍ରାକୃତିକ ଶୋଭା ଦେଖି ଆମ୍ଭେ ମୋହିତ ହେଲୁଁ । କୃଷକମାନଙ୍କର ମଧୁର ଗୀତ, ପ୍ରଫୁଲ୍ଲ ମୁଖ, ସୁଖପ୍ରଦ ଜୀବିକା, ପରିଷ୍କୃତ ପରିଚ୍ଛଦ, ପୁଣି ଗ୍ରାମ୍ୟ ବାଦ୍ୟ, ନର୍ତ୍ତନ-ଏହି ସବୁ ଦେଖି ଶୁଣି ଆମ୍ଭେ ଆତ୍ମବିସ୍ମୃତ ପ୍ରାୟ ହେଲୁଁ । ମନ ସୁଖତରଙ୍ଗରେ ଭାସିଲା । ଏହିପରି ପ୍ରତୀତ ହେଲା ଯେ, ମହୀ ସାଧୁ ନର, ପୁଣି ଉଦାର ରମଣୀମାନଙ୍କରେ ପୂର୍ଣ୍ଣ ଅଟେ ।

 

ଆମ୍ଭେ ପୁଣି ସେହି ମଠକୁ ନେଉଟି ଆସିଲୁଁ । ମାତ୍ର ଆମ୍ଭ ଦେହ ଫେରି ଆସିଲା, ମନ ଏପରି ବିସ୍ତୃତ ହୋଇଥିଲା ଯେ, ସେହି କ୍ଷୁଦ୍ର ସ୍ଥାନରେ ପୁଣି ପ୍ରବିଷ୍ଟ ହୋଇ ପାରିଲା ନାହିଁ । ଆମ୍ଭେ ଯେ ସବୁ ସୁଖକର ବସ୍ତୁ ଦେଖିଥିଲୁଁ, ସେ ସବୁ କେବେହେଁ ମନରୁ ଯିବାର ନୁହେଁ । ଯେଉଁ ସମୟରେ ସେହି ସବୁ ଦେଖୁଥିଲୁଁ, ଆମ୍ଭର ସୁଖର ସୀମା ନ ଥିଲା । ପୁଣି ଜୀବିତମାନଙ୍କର ମଶାଣ ପ୍ରାୟ ସେହି ମଠରେ ପ୍ରବିଷ୍ଟ ହୋଇ ରାତିଦିନ ଝୁରିଲୁଁ । ଯେ ସେହି ପ୍ରସନ୍ନ ମନୁଷ୍ୟମାନଙ୍କର ପ୍ରଫୁଲ୍ଲ ମୁଖପଦ୍ମ ଦେଖିଅଛି, ତାହା ଆଖିରେ ଗଳିତକେଶ, କୁଞ୍ଚିତଚର୍ମ, ଅପରିଷ୍କୃତ ମଠନିବାସୀମାନଙ୍କର ବଦନ କିପରି ଅବା ଆନନ୍ଦକର ହେବ ? ଏଣିକି ମଠର କାର୍ଯ୍ୟାଦି ଆମ୍ଭ ପକ୍ଷରେ ବଡ଼ କଷ୍ଟକର ହେଲା । ନିତି ଏକରପ କାର୍ଯ୍ୟ କରିବାର ଅତ୍ୟନ୍ତ ବିରକ୍ତିକର ଅଟେ । ମଠରେ ରହି ଆମ୍ଭର ଯେମନ୍ତ କଷ୍ଟହେଲା, ଅନୁଭବ ବିନୁ କେହି ତାହା ବୁଝିପାରିବେ ନାହିଁ ।

 

ଆମ୍ଭେ ଅଳସସ୍ୱଭାବ ନ ଥିଲୁଁ । ଯେତେବେଳେ ଯାହା ଉତ୍ତମ ମଣୁଥିଲୁଁ, ସେହିକ୍ଷଣି ତାହା ସମ୍ପାଦିବାକୁ ଲବମାତ୍ର ବିଳମ୍ବ କରୁ ନ ଥିଲୁଁ । କି ଉପାୟଦ୍ୱାରା ସେହି ମଠରୁ ପଳାଇବୁଁ, ଏହି ବିଷୟ ଘେନି ସର୍ବଦା ଚିନ୍ତିତ ଥିଲୁଁ । ସୌଭାଗ୍ୟକ୍ରମେ ସୁଯୋଗ ମିଳିଲା । ଆମ୍ଭେ ସେହି ସୁଯୋଗରେ ମଠ ତ୍ୟାଗ କଲୁଁ । ମଠ ତ୍ୟାଗ ନେପ୍‌ଲସ୍‌କୁ ଗଲୁଁ । ନଗରରେ ପ୍ରବିଷ୍ଟ ହୋଇ ନଗର ଶୋଭା ଦେଖି ଚମତ୍କୃତ ହେଲୁଁ । ଏଡ଼େ ଗହଳ ଆମ୍ଭେ କେଉଁଠାରେ ଦେଖି ନ ଥିଲୁଁ । ସୁନ୍ଦର ହର୍ମ୍ୟମାଳା, ଫଳଫୁଲଶୋଭିତ ଉଦ୍ୟାନ, ନାଗରିକମାନଙ୍କର ବିଚିତ୍ର ବେଶଭୂଷା, ବିସ୍ତୃତ ରାଜଦାଣ୍ଡ, ସୁଚାରୁ ପଣ୍ୟଦ୍ରବ୍ୟ, ଏହିସବୁ ଦେଖି ଆମ୍ଭର ଅକଥନୀୟ ଆନନ୍ଦ ଜାତ ହେଲା । ପ୍ରତିଜ୍ଞା କଲୁଁ ଯେ ପୁଣି ସେହି ଭୟଙ୍କର ମଠକୁ ଯିବୁ ନାହିଁ ।

 

ପିତାଙ୍କ ଘର କେଉଁଠାରେ ଅବସ୍ଥିତ ଥିଲା, ଆମ୍ଭେ ତାହା ଜାଣି ନ ଥିଲୁଁ । ନାଗରିକମାନଙ୍କୁ ପଚାରିବାରୁ ସେମାନେ ତାହାଙ୍କ ବାସସ୍ଥାନ ଦେଖାଇଦେଲେ । ବହୁ କଷ୍ଟରେ ପିତାଙ୍କ ନିକଟବର୍ତ୍ତୀ ହେଲୁଁ । ହେତୁ କି ତାଙ୍କ ଗୃହରେ ଥିବା ଭୃତ୍ୟମାନେ ଆମ୍ଭକୁ ଶୀଘ୍ର ଚିହ୍ନି ପାରିଲେ ନାହିଁ । ପୁଣି ଆମ୍ଭେ ସନ୍ନ୍ୟାସୀ ପରିଚ୍ଛଦ ପିନ୍ଧିଥିଲୁଁ । ଆମ୍ଭ ପିତା ମଧ୍ୟ ଆମ୍ଭକୁ ଚିହ୍ନି ନ ପାରିଲେ । ଆମ୍ଭେ ପିତାଙ୍କ ଗୋଡ଼ତଳେ ପଡ଼ି ବିନୟବାକ୍ୟରେ ଆପଣା ପରିଚୟ ଦେଲୁଁ ଏବଂ ଏହି ପ୍ରାର୍ଥନା କଲୁଁ ଯେ ପୁଣି ଯେମନ୍ତ ସେହି ମଠକୁ ପ୍ରେରିତ ନହେବୁଁ ।

 

ପିତାଙ୍କର ପୁତ୍ରଠାରେ ଯେପରି ବ୍ୟବହାର କରିବା ଉଚିତ, ଆମ୍ଭ ପିତା ଆମ୍ଭଠାରେ ସେପରି ବ୍ୟବହାର କଲେ ନାହିଁ । ପ୍ରଭୁ ଆଶ୍ରିତଠାରେ ଯେପରି ବ୍ୟବହାର କରନ୍ତି, ଆମ୍ଭଠାରେ ତାଙ୍କ ବ୍ୟବହାର ସେହିପରି ଦେଖିଲୁଁ । ଆମ୍ଭେ ମଠରେ ଯେ ସମସ୍ତ ଦୁଃଖ ଭୋଗ କରିଥିଲୁଁ, ତାଙ୍କଠାରେ ସମସ୍ତ ନିବେଦନ କଲୁଁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ତହିଁରେ ତାଙ୍କର କିଛିମାତ୍ର ଦୁଃଖ ନ ଜନ୍ମିଲା । ଶେଷକୁ ସେ କହିଲେ, ଆମ୍ଭକୁ ଅନ୍ୟ କୌଣସି କାର୍ଯ୍ୟରେ ନିଯୁକ୍ତ କରିବା ନିମନ୍ତେ ଚେଷ୍ଟିତ ହେବେ । ତାଙ୍କ ଅନୁରାଗଶୂନ୍ୟ ଆଚରଣ ଦେଖି ଆମ୍ଭେ ଅତ୍ୟନ୍ତ ଦୁଃଖିତ ହେଲୁଁ । ଆମ୍ଭେ ସ୍ୱୟଂ ଅତ୍ୟନ୍ତ ସରଳପ୍ରକୃତି ଥିଲୁଁ । ପିତା ଯେବେ ଆମ୍ଭଠାରେ ଅଳ୍ପମାତ୍ର ସ୍ନେହ ପ୍ରକାଶ କରିଥାନ୍ତେ, ପ୍ରଫୁଲ୍ଲ ଚିତ୍ତରେ ତାଙ୍କର ଆଜ୍ଞାବହ ହୋଇଥାନ୍ତୁ । ତାହାଙ୍କ ନିଷ୍ଠୁର ଆଚରଣରେ ଅତ୍ୟନ୍ତ ବିରକ୍ତ ହେଲୁଁ । ତାହାଙ୍କଠାରେ ପୂର୍ବ ଅଭକ୍ତି ପୁନରୁଜ୍ଜୀବିତ ହେଲା । ପୂର୍ବରେ ତାଙ୍କୁ ଦେଖିଲାକ୍ଷଣି ଯେପରି ଶଙ୍କିତ ହେଉଥିଲୁ, ଏବେ ସୁଦ୍ଧା ସେହିପରି ଶଙ୍କିତ ହେଲୁଁ ।

 

ପିତୃସ୍ନେହ କ୍ରମଶଃ ଅନ୍ତଃକରଣରୁ ତିରୋହିତ ହେଲା । ଜ୍ୟେଷ୍ଠ ସହୋଦର ପିତାଙ୍କର ଅତି ପ୍ରିୟପାତ୍ର ଥିଲେ । କିରୂପେ ତାଙ୍କର ଉତ୍ତମ ହେବ, ପିତା ଏହି ଚିନ୍ତାରେ ସର୍ବଦା ଚିନ୍ତିତ ଥିଲେ-। ଜ୍ୟେଷ୍ଠ ସହୋଦର ମଧ୍ୟ ପିତାଙ୍କର ସେହି ନିଷ୍ଠୁର ଭାବର ଉତ୍ତରାଧିକାରୀ ହେଲେ । ଆମ୍ଭଠାରେ ଭାଇ ପରି ବ୍ୟବହାର ନ କରି ପ୍ରଭୁ ଭୃତ୍ୟଠାରେ ଯେପରି କରଇ, ସେହିପରି କଲେ । ଆମ୍ଭେ ସ୍ୱଭାବତଃ ଅଭିମାନୀ ଥିଲୁଁ । ତେଣୁ ଏପରି ଆଚରଣ ସହି ନ ପାରିଲୁଁ । ପିତାଙ୍କ ପ୍ରତି ଆମ୍ଭର ସ୍ୱାଭାବିକ ଭୟ ଥିଲା, ଏଥି ନିମନ୍ତେ ତାଙ୍କ ନିର୍ଦୟ ଆଚରଣ ସହୁଥିଲୁଁ । କିନ୍ତୁ ଜ୍ୟେଷ୍ଠଙ୍କଠାରେ ସେପରି ଭୟ ନଥିଲା । ପୁଣି ସେ ବୟସରେ ଆମ୍ଭର ଜ୍ୟେଷ୍ଠ ଥିଲେ, କିନ୍ତୁ ଆମ୍ଭଠାରୁ ତାଙ୍କର ବିଦ୍ୟା ବୁଦ୍ଧି ଅଧିକ ନ ଥିଲା । ଗୃହର ଦାସମାନେ ଦେଖିଲେ ଯେ ପିତାଙ୍କଠାରେ ଆମ୍ଭର ଆଦର ହେଲା ନାହିଁ । ଏହା ଦେଖି ସେମାନେ ସୁଦ୍ଧା ଆମ୍ଭକୁ ତୁଚ୍ଛ ମଣିଲେ । ଏହିରୂପେ ସ୍ୱବନ୍ଧୁମାନଙ୍କ ଦ୍ୱାରା ଅପମାନିତ ହୋଇ ଆମ୍ଭେ ହତାଶ ହେଲୁଁ । ବିମର୍ଷ ଆମ୍ଭର ହୃଦୟରାଜ୍ୟକୁ ଅଧିକାର କଲା, ମନ ଅଗାଧ ଦୁଃଖସାଗରରେ ବୁଡ଼ିଲା । ସର୍ବଦା ମୌନାବଲମ୍ବୀ ହୋଇ ରହିଲୁଁ । କେବେହେଁ ପ୍ରଫୁଲ୍ଲବଦନରେ ବାକ୍ୟାଳାପ କରୁ ନ ଥିଲୁଁ । ଏହି ରୂପେ ବିରକ୍ତିକର ଅତିଥି ପରି କେତେଦିନ ପିତ୍ରାଳୟରେ ଗମିଲୁଁ । ସମସ୍ତେ ଆମ୍ଭକୁ ଘୃଣା କରୁଥିଲେ, ପୁଣି ଆମ୍ଭ ଦୁଃଖାନଳରେ ସାନ୍ତ୍ୱନାଜଳ ଢାଳିବାକୁ ସେଠାରେ ଜଣେ ସୁଦ୍ଧା ନ ଥିଲା । ଆମ୍ଭକୁ ଚତୁର୍ଦିଗ ଅନ୍ଧକାରାଚ୍ଛନ୍ନ ପ୍ରାୟ ଦିଶିଲା ।

 

ଦିନେ ପୂର୍ବୋକ୍ତ ମଠର ଜଣେ ସନ୍ନ୍ୟାସୀ ପିତ୍ରାଳୟରେ ଉପସ୍ଥିତ ହେଲେ । ତାଙ୍କୁ ଦେଖିଲାକ୍ଷଣି ଆମ୍ଭେ ଅତ୍ୟନ୍ତ ଶଙ୍କିତ ହେଲୁଁ । ସେ ଆମ୍ଭକୁ ଦେଖି ଯେମନ୍ତ ଦେଖିନାହାନ୍ତି, ଏହିପରି ଛଳ କଲେ । ଏଥିରେ ଆମ୍ଭର ଭୟ ଅଧିକ ପ୍ରବଳ ହେଲା । ବସ୍ତୁତଃ ଆମ୍ଭ ମନ ଏପରି ଚଞ୍ଚଳ ହୋଇଥିଲା ଯେ ଅଳ୍ପ କଥାକୁ ଡରୁଥିଲୁଁ । ଦିନକରେ ପିତାଙ୍କର ଜଣେ ପ୍ରିୟ ଅନୁଚର ଆମ୍ଭକୁ ବିସ୍ତର ଗାଳି ଦେଲା । ତାହାର ସେହି ଅନ୍ୟାୟ ତିରସ୍କାର ଶୁଣି ଆମ୍ଭେ କୋପରେ ଜଳିଗଲୁଁ, ସେହିକ୍ଷଣି ତାକୁ ବାଡ଼େଇଲୁଁ । ଦୁର୍ଭାଗ୍ୟବଶତଃ ସେହି ସମୟରେ ପିତା ସେଠାରେ ଉପସ୍ଥିତ ହେଲେ । ଆମ୍ଭେ କିପାଁ କ୍ରୁଦ୍ଧ ହୋଇଥିଲୁଁ ଏବଂ କି ହେତୁରୁ ତାହାକୁ ପ୍ରହାର କଲୁଁ, ସେ ବିଷୟରେ ଯଥାର୍ଥ ହେତୁ ଅନୁସନ୍ଧାନ ନ କରି ଆମ୍ଭକୁ ତିରସ୍କାର କଲେ, ମନକୁ ଯାହା ଆସିଲା କହିଲେ, କେତେ ଦୁର୍ବାକ୍ୟ ପ୍ରୟୋଗ କଲେ । କ୍ରୋଧରେ ତାହାଙ୍କ ଆଖିରୁ ଅଗ୍ନିକଣା ନିର୍ଗତ ହେଲା ପ୍ରାୟ ଦିଶିଲା । ଆମ୍ଭେ ଦେଖିଲୁଁ ଯେ, ସେ ଆମ୍ଭଠାରେ ଅତ୍ୟନ୍ତ ଘୃଣାଜନକ ବ୍ୟବହାର କଲେ । ଆମ୍ଭେ କଦାଚ ଏମନ୍ତ କୁବ୍ୟବହାର ଯୋଗ୍ୟ ନ ଥିଲୁ । ଆମ୍ଭେ ଦେଖିଲୁଁ ଯେ ଆମ୍ଭର ଉପଯୁକ୍ତ ମର୍ଯ୍ୟାଦା ହେଲା ନାହିଁ । ଆମ୍ଭ ସଦ୍‌ଗୁଣମାନଙ୍କର ଆଦର ହେଲା ନାହିଁ । ପିତାଙ୍କର ଏହି ଅନ୍ୟାୟ ବିଚାର ଦେଖି ଆମ୍ଭେ ଯତ୍‌ପରୋନାସ୍ତି ବିରକ୍ତ ହେଲୁଁ । ଆମ୍ଭର ସ୍ୱାଭାବିକ ଭୟ ଭାଙ୍ଗିଗଲା । ତତ୍‌କ୍ଷଣାତ୍ ବ୍ୟଗ୍ର ହୋଇ ଉତ୍ତର ଦେଲୁଁ । କୋପରେ ଆମ୍ଭର ଗଣ୍ଡ ସ୍ଫୀତ ଓ ଆଖି ରକ୍ତବର୍ଣ୍ଣ ହେଲା । ଅଳ୍ପ କାଳରେ ମଧ୍ୟ ସମସ୍ତ ଦୁଃଖ ମନେପଡ଼ିଲାରୁ ନୟନରୁ ଲୋତକ ଝରିଲା । ଏହା ଦେଖି ପିତା କ୍ରୁଦ୍ଧ, ପୁଣି ଚମତ୍କୃତ ହେଲେ ଏବଂ ସେଠାରୁ ଚାଲିଗଲେ। ଆମ୍ଭେ ସୁଦ୍ଧା ମୌନୀ ହୋଇ ସେଠାରୁ ଅନ୍ୟ ସ୍ଥାନକୁ ଗଲୁଁ ।

 

ଅଳ୍ପ ଦିନ ଉତ୍ତାରେ ଗୋଟିଏ ଭୟାବହ ବ୍ୟାପାର ଦେଖିଲୁଁ । ଯେଉଁ ସନ୍ନ୍ୟାସୀ ଆମ୍ଭ ପିତ୍ରାଳୟକୁ ଆସିଥିଲେ, ତାଙ୍କ ସହିତ ଆମ୍ଭକୁ ମଠକୁ ପଠାଇବା ନିମନ୍ତେ ପିତା ଗୋପନରେ ମନ୍ତ୍ରଣା କରୁଥିଲେ । ଆମ୍ଭେ ଶୀଘ୍ର ଏହା ବୁଝିପାରିଲୁଁ । ସେଠାରୁ ପଳାଇବା ନିମନ୍ତେ ବ୍ୟଗ୍ର ହେଲୁଁ । ଜନ୍ମଘରର ମମତା ତ୍ୟାଗ କରି ସେହି ରାତିରେ ପ୍ରସ୍ଥାନ କଲୁଁ । ସେହି ବନ୍ଦରରୁ ଖଣ୍ଡିଏ ଜାହାଜ ସ୍ଥାନାନ୍ତରକୁ ଯାଉଥିଲା । ଜାହାଜରେ ଚଢ଼ିଲୁଁ । ଜାହାଜ କି ଆଶୟରେ କେଉଁଠାକୁ ଯାଉଅଛି, ଏହାର କିଛିମାତ୍ର ଅନୁସନ୍ଧାନ ନ କଲୁଁ । ଯେଉଁ ଦିଗକୁ ଯାଉ ଅବା ଯେଉଁ ସ୍ଥାନକୁ ଯାଉ, ଯମାଳୟ ପରି ସେହି ମଠ ଠାରୁ ସେ ସ୍ଥାନ ଉତ୍ତମ ହେବ, ଆମ୍ଭର ଏହି ବିଶ୍ୱାସ ହେଲା । ମନ ଏମନ୍ତ ବିକୃତ ହୋଇଯାଇଥିଲା ଯେ ସେହି ସମୟରେ କର୍ତ୍ତବ୍ୟ-ଜ୍ଞାନଶୂନ୍ୟ ହେଲୁଁ । ଅଦୃଷ୍ଟରେ ଯାହା ଘଟିବାର ଥିବ ଘଟିବ, ଏହି ସାହସଯଷ୍ଟି ଅବଲମ୍ବନ କରୀ ଚାଲିଲୁଁ । ସେହି ଜାହାଜ ଜେନୋୟା ନଗରକୁ ଯାଉଥିଲା । ଆମ୍ଭେ କେତେ ଦିନ ଉତ୍ତାରେ ସେଠାରେ ପହଞ୍ଚିଲୁଁ ।

 

ଜେନୋୟାରେ ପ୍ରବେଶ ହୋଇ ନଗର ମୁଖରେ ଚାଲିଲୁଁ । ଯାଉଁ ଯାଉଁ କେଉଁ ସ୍ଥାନରେ ମନୋହର ପ୍ରାସାଦମାଳା, କେଉଁ ସ୍ଥାନରେ ଉଚ୍ଚ ଦେବମନ୍ଦିର, କେଉଁ ସ୍ଥାନରେ ସୁରମ୍ୟ ପୁଷ୍ଠରେ ଶୋଭିତ ଉଦ୍ୟାନମାନ ଦେଖି ଅତିଶୟ ପ୍ରୀତ ହେଲୁଁ । ମାତ୍ର କେଉଁଠାକୁ ଯିବୁଁ, କ’ଣ କରିବୁଁ, କିଛି ହିଁ ସ୍ଥିର କରି ପାରିଲୁଁ ନାହିଁ । ସେଠାରେ ଆମ୍ଭର କେହି ପରିଚିତ ଲୋକ ନ ଥିଲେ । ଯାହାହେଉ ଆଉ ସେହି ମଠର ଯନ୍ତ୍ରଣା ଭୋଗ କରିବାକୁ ହେବ ନାହିଁ, ଏହି କିଞ୍ଚିତ୍ ସୁସ୍ଥ ହେଲୁଁ । ଅନନ୍ତର ନଗର ମଧ୍ୟରେ ପ୍ରବେଶ ହୋଇ ନାଗରିକମାନଙ୍କର ଗୃହରଚନା କୌଶଳ ଦେଖି ଚମତ୍କୃତ ହେଲୁଁ । ସେହି ସ୍ଥାନର ବହୁମୂଲ୍ୟବସ୍ତ୍ରଧାରିଣୀ ପ୍ରସନ୍ନବଦନା ସୁନ୍ଦରୀମାନଙ୍କୁ ଦେଖି ଆମ୍ଭର ସ୍ଥିର ବିଶ୍ୱାସ ହେଲା ଯେ, ଜେନୋୟା ନିବାସୀମାନେ ଅତ୍ୟନ୍ତ ସୁଖୀ ଅଟନ୍ତି । ଏମନ୍ତ ଉତ୍ତମ ସ୍ଥାନକୁ ଆସିଅଛୁଁ, ଏହା ଭାବି ଆନନ୍ଦରସରେ ଅଭିଷିକ୍ତ ହେଲୁଁ ।

 

ଅଳ୍ପ ଦିନ ମଧ୍ୟରେ ଆମ୍ଭର ସେହି ସୁଖକର ଭ୍ରମ ଭାଙ୍ଗିଗଲା । ଆମ୍ଭଠାରେ ଯେଉଁ ଅଳ୍ପ ମୁଦ୍ରା ଥିଲା ତାହା ଶୀଘ୍ର ସରିଗଲା । ଅଭାବଜନିତ କଷ୍ଟ ଆମ୍ଭେ ଏତେଦିନଯାଏ ଅନୁଭବ କରିନଥିଲୁଁ, ଏଣିକି ସେହି କଷ୍ଟରେ ପଡ଼ିବାକୁ ହେଲା । ମୁଦ୍ରାଭାବରୁ ଯେ ଏପରି କ୍ଳେଶ ହୁଅଇ, କଦାଚ ଏମନ୍ତ ଭାବି ନ ଥିଲୁଁ । ଏଥି ପୂର୍ବରେ ଆମ୍ଭର ଅଭାବ ହୋଇ ନ ଥିଲା । ସଂସାରରେ କି ପ୍ରକାର ଚଳିବାକୁ ହୁଏ, ତାହା ମଧ୍ୟ ଆମ୍ଭେ ସମ୍ପୂର୍ଣ୍ଣ ଅଜ୍ଞାତ ଥିଲୁଁ । ଏହି ସମୟରେ ଆମ୍ଭ ଉପରେ ଯେମନ୍ତ ଦୁଃଖ ପଡ଼ିଲା, ତାହା ବାକ୍ୟରେ କହି ନୁହଇ। ଭିକ୍ଷୁକ ପ୍ରାୟ ରାଜଦାଣ୍ଡରେ ବୁଲିବାକୁ ଲାଗିଲୁଁ । ସେହି ପ୍ରାସାଦଶ୍ରେଣୀର ଶୋଭା ଆମ୍ଭ ନେତ୍ରର ପ୍ରୀତିକର ହେଲା ନାହିଁ । କାତର ହୋଇ ଏହିପରି ଭ୍ରମଣ କରୁଁ କରୁଁ ହଠାତ୍ ଏକ ସୁର୍ନିର୍ମିତ ଗିରିଜା ନିକଟରେ ପହଞ୍ଚିଲୁଁ ।

 

ଜଣେ ପ୍ରସିଦ୍ଧ ଚିତ୍ରକର ସେହି ଗିରିଜାର ପ୍ରାଚୀରରେ ଚିତ୍ରପଟ ସଂଲଗ୍ନ କରୁଥିଲେ । ଆମ୍ଭେ ଚିତ୍ରବିଦ୍ୟାରେ କିଞ୍ଚିତ୍ ନୈପୁଣ୍ୟ ଲଭିଥିଲୁଁ । ସେଥି ନିମନ୍ତେ ଉତ୍ତମ ଛବି ଦେଖିବାକୁ ଆମ୍ଭର ଅତ୍ୟନ୍ତ ସ୍ପୃହା ହେଉଥିଲା । ସେହି ଚିତ୍ରପଟମାନ ଦେଖି ଆହ୍ଲାଦିତ ହେଲୁଁ । ସେଥି ମଧ୍ୟରେ ଖଣ୍ଡିଏ ଚିତ୍ର ସର୍ବୋତ୍କୃଷ୍ଟ ହୋଇଥିଲା । ତହିଁରେ କଳଙ୍କଣୂନ୍ୟା ଉଦାରଚରିତ୍ରା କୌଣସି ରୂପବତୀ ଲଳନାର ପ୍ରତିମୂର୍ତ୍ତି ଅଙ୍କିତ ହୋଇଥିଲା । ସେହି ଚିତ୍ର ଯେତେବେଳେ ଆମ୍ଭ ନେତ୍ରରେ ପଡ଼ିଲା, ସେତେବେଳେ ଆମ୍ଭର ହର୍ଷର ସୀମା ନ ରହିଲା । ଆମ୍ଭେ ଚମତ୍କୃତ ହୋଇ ସ୍ଥିର ଦୃଷ୍ଟିରେ ତାହାକୁ ଦେଖିବାକୁ ଲାଗିଲୁଁ । କପୋଳଦ୍ୱୟ ହର୍ଷରେ ପ୍ରଫୁଲ୍ଲିତ ହେଲା । ଏହା ଦେଖି ସେହି ଚିତ୍ରକର ପ୍ରୀତ ହୋଇ ଆମ୍ଭର ପରିଚୟ ପଚାରିଲେ । ଆରମ୍ଭ ସେହି ସମୟରେ ବନ୍ଧୁହୀନ ହୋଇଥିଲୁଁ, ବିଶେଷତଃ ସେହି ଚିତ୍ରକରଙ୍କର ଆଗ୍ରହ ଦେଖି ପରିଚୟ ନ ଦେଇ ରହିପାରିଲୁଁନାହିଁ ।

 

ଆମ୍ଭର ନାମ ଓ ପଦବୀ ଛାଡ଼ି ଆଉ ସବୁ ବିଷୟ ସେହି ଚିତ୍ରକରଙ୍କୁ ଜଣାଇଲୁଁ । ସେ ମନୋଯୋଗୀ ହୋଇ ସମସ୍ତ ବିବରଣୀ ଶୁଣିଲେ । ଅନନ୍ତର ଅନୁଗ୍ରହପୂର୍ବକ ତାଙ୍କ ଘରେ ଆମ୍ଭକୁ ବାସସ୍ଥାନ ଦେଲେ । ଆମ୍ଭେ ଅତିମାତ୍ର ତାଙ୍କ ପ୍ରିୟପାତ୍ର ହେଲୁଁ ଏବଂ ତାଙ୍କର ନିକଟରୁ ଚିତ୍ରବିଦ୍ୟା ଶିକ୍ଷା କରିବାକୁ ଆରମ୍ଭ କଲୁଁ । ସେହି ବିଦ୍ୟାରେ ଆମ୍ଭର ପଟୁତା ଦେଖି ସେ ଚମତ୍କୃତ ହେଲେ ଏବଂ ଆମ୍ଭର ବିସ୍ତର ପ୍ରଶଂସା କଲେ । ତାହାଙ୍କ ପ୍ରଶଂସା ଶୁଣି ଆମ୍ଭର ଉତ୍ସାହ ବଢ଼ିଲା । ଆହା ! ତାଙ୍କ ଘରେ ଆମ୍ଭେ କେତେ ସୁଖରେ କାଳ ଗମିଥିଲୁଁ । କୌଣସି ବିଷୟର ଅଭାବ ନ ଥିଲା, ଦୁଃଖର ଲେଶମାତ୍ର ନ ଥିଲା । ଆହା ! ସେ ଦିନ କି ଆଉ ଫେରି ଆସିବ ! ପୂର୍ବର ସବୁ ଦୁଃଖ ପାସୋରିଲୁ । ସେହି ମଠ ଆମ୍ଭ ହୃଦୟକ୍ଷେତ୍ରରୁ ଅପସୃତ ହେଲା । ମନ ମହତ୍ ଏବଂ ଉତ୍ତମ ଭାବରେ ପରିପୂର୍ଣ୍ଣ ହେଲା । ସବୁବେଳେ ଉତ୍ତମ ଉତ୍ତମ କାବ୍ୟ, ଉତ୍ତମ ଉତ୍ତମ ଉପନ୍ୟାସାଦି ପଢ଼ି ଯଥେଷ୍ଟ ଆନନ୍ଦ ପ୍ରାପ୍ତ ହେଲୁଁ । ନବପରିଚିତମାନଙ୍କ ସହିତ ମିଷ୍ଟାଳାପ, ସେମାନଙ୍କ ରୀତି ନୀତି ଦର୍ଶନରେ ରତ ହେଲୁଁ । ଅବସରବେଳେ ଉଦ୍ୟାନ ଭ୍ରମଣ କରି ପ୍ରକୃତିଦେବୀଙ୍କର ମନୋହର ଶୋଭା ଦେଖି ଆତ୍ମାକୁ ପରିତୃପ୍ତ କରୁଥିଲୁଁ । ପୁଣି କଳ୍ପନାଶକ୍ତି । ପୁଣି ଆମ୍ଭର କଳ୍ପନାଶକ୍ତି ଅତିୟ ବଳବତୀ ଥିଲା । ଏଥି ନିମନ୍ତେ ଅଳ୍ପ ସୁନ୍ଦର ବସ୍ତୁ ସୁଦ୍ଧା ଆମ୍ଭର ପ୍ରୀତିକର ହେଉଥିଲା । ଆମ୍ଭ ଗୃହସ୍ୱାମୀ ଅତି ଉଦାରସ୍ୱଭାବ ଥିଲେ । ତାଙ୍କ କୃପାରୁ ଆମ୍ଭେ ମହୀରେ ସ୍ୱର୍ଗସୁଖ ଭୋଗ କରୁଥିଲୁଁ । ସେ ଜେନୋୟାନିବାସୀ ନ ଥିଲେ। ନଗରର ଧନୀମାନେ ତାଙ୍କ ଚିତ୍ରନୈପୁଣ୍ୟର ପ୍ରଶଂସା ଶୁଣି କେତେଗୁଡ଼ିଏ ଚିତ୍ର ପ୍ରସ୍ତୁତ କରାଇବା ନିମନ୍ତେ ତାଙ୍କୁ ସେହି ନଗରକୁ ଅଣାଇଥିଲେ। ତାଙ୍କ ଶାରୀରିକ ଅସୁସ୍ଥତା ଏବଂ ଦୌର୍ବଲ୍ୟ ହେତୁରୁ ସେ ଅନେକ ସମୟରେ ଶିଷ୍ୟମାନଙ୍କୁ ଚିତ୍ର କରିବାର ଭାର ଦେଉଥିଲେ । ତାଙ୍କ ବିବେଚନାରେ ଶିଷ୍ୟମାନଙ୍କ ମଧ୍ୟରେ ଆମ୍ଭେ ସର୍ବୋତ୍କୃଷ୍ଟ ଥିଲୁଁ-। ବିଶେଷତଃ ସ୍ତ୍ରୀମାନଙ୍କ ଚିତ୍ର ଲେଖିବାରେ ଆମ୍ଭେ ଅତ୍ୟନ୍ତ ପଟୁ ଥିଲୁଁ । ଯେତେବେଳେ କୌଣସି ସୁନ୍ଦରୀ ରମଣୀର ଛବି ଚିତ୍ରିବାର ଆବଶ୍ୟକ ହଉଥିଲା, ସେ ସେ-କର୍ମର ଭାର ଆମ୍ଭକୁ ଦେଉଥିଲେ-। ପୁଣି ସେହି ଚିତ୍ରକରଙ୍କର ଆମ୍ଭଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । ସମସ୍ତ ଲୋକଙ୍କ ସାକ୍ଷାତରେ ଆମ୍ଭ ସଦ୍‌ଗୁଣର ବିସ୍ତର ପ୍ରଶଂସା କରୁଥିଲେ । ଗୁଡ଼ାଏ କ’ଣ କହିବୁଁ, ଆମ୍ଭଠାରେ ତାଙ୍କର ଏଡ଼େ ସ୍ନେହ ଥିଲା ଯେ ଅଳ୍ପକାଳ ନିମନ୍ତେ ସୁଦ୍ଧା ଆମ୍ଭେ ତାଙ୍କ ନୟନର ଅଗୋଚର ହେଲେ କାତର ହେଉଥିଲେ-

 

ଜେନୋୟା ନଗରର ଧନଶାଳୀ ନିବାସୀମାନେ ସେହି ଚିତ୍ରକରଙ୍କୁ ଯେଉଁ ମହିଳାମାନଙ୍କ ଚିତ୍ର ନିମନ୍ତେ ଆଦେଶ ଦେଇଥିଲେ ତନ୍ମଧ୍ୟରେ ଲରା ନାମ୍ନୀ ଗୋଟିଏ ରୂପବତୀ ବାଳିକା ଥିଲା । ସେହି ବାଳିକାର ଛବି ପ୍ରସ୍ତୁତ କରିବା ନିମନ୍ତେ ଚିତ୍ରକରଙ୍କଠାରୁ ଆଜ୍ଞାପାଇଲୁଁ । ସେହି ସୁନ୍ଦରୀ କୁମାରୀ କୌଣସି ମଠରେ ଶିକ୍ଷା ସମାପ୍ତି ଅନ୍ତେ ଆପଣା ଚିତ୍ର ପ୍ରସ୍ତୁତ କରାଇବା ନିମନ୍ତେ ସେଠାରେ ଉପସ୍ଥିତ ହେଲା । ଆମ୍ଭେ ପ୍ରଥମରେ ତାହାକୁ ଏକ ସୁରମ୍ୟ ପ୍ରାସାଦର ଗବାକ୍ଷ ନିକଟରେ ବସିବାର ଦେଖିଥିଲୁଁ । ଉଜ୍ଜ୍ୱଳ ସୂର୍ଯ୍ୟକିରଣ ତାହା ବଦନରେ ପଡ଼ି ମୁଖକାନ୍ତି ଅଧିକ ଉଜ୍ଜ୍ୱଳ କରୁଥିଲା । ଯେଉଁ ଗୃହରେ ସେ ବସିଥିଲା, ସେହି ଗୃହଭିତ୍ତି ପଦ୍ମରାଗନିଭ ରକ୍ତବସ୍ତ୍ରରେ ମଣ୍ଡଣି ହୋଇଥିବାରୁ ତହିଁରେ ରବିକର ପଡ଼ି ସେଖିର ରକ୍ତିମା ବୃଦ୍ଧି ପାଉଥିଲା । ସେହି ଲାବଣ୍ୟବତୀର ବୟଃକ୍ରମେ ଷୋଡ଼ଶ ବର୍ଷ। ରୂପର କଥା ଅବା କ’ଣ କହିବୁଁ ? ଦେଖିଲାକ୍ଷଣି ବୋଧ ହେଲା ଯେ ସୌନ୍ଦର୍ଯ୍ୟ, ନିରୀହତା, ଲଜ୍ଜା ଏବଂ ଯୌବନ ଚାରିହେଁ ଏକମୂର୍ତ୍ତି ଧରି ଅବତୀର୍ଣ୍ଣ ହୋଇଅଛନ୍ତି । ଯେତେବେଳେ ସେହି ମୋହିତୀ ମୂର୍ତ୍ତି ଆମ୍ଭ ଆଖିରେ ପଡ଼ିଲା, ଆମ୍ଭେ ସେ ସମୟରେ ମୋହିତ ହେଲୁଁ । କବି ଏବଂ ଚିତ୍ରକରମାନେ କହନ୍ତି ଯେ ତାଙ୍କ ମନରେ କେବେ କେବେ ଏପରି ଅନିର୍ବଚନୀୟ ଭାବର ଉଦୟ ହୁଏ ଯେ ସେମାନେ ସେହି ଭାବକୁ ଲେଖନୀ ଅଥବା ତୁଳିଦ୍ୱାରା ବ୍ୟକ୍ତ କରିପାରନ୍ତି ନାହିଁ । ଆମ୍ଭ ବିବେଚନାରେ ସେହି କୁମାରୀ ସୁଦ୍ଧା ସେହିପରି ବୋଧ ହେଲା । ଆମ୍ଭେ ଆନନ୍ଦରେ ମଗନ ହୋଇ ଥରକୁଥର ସେହି ମୃଗଲୋଚନାର ପ୍ରତିମୂର୍ତ୍ତି ଲେଖିଲୁଁ । ଯେତେଥର ଲେଖିଲୁଁ, ସେତେଥର ଲେଖିବାକୁ ମନ ବଳିଲା । ଆମ୍ଭେ ସତୃଷ୍ଣ ହୋଇ ସେହି କାମିନୀର ମୁଖକମଳ ଦେଖିଲୁଁ । ବାରମ୍ବାର ଦେଖିଲେ ହେଁ ତୃପ୍ତି ହେଲା ନାହିଁ । ସେହି ସ୍ୱର୍ଗୀୟ ଲାଭଣ୍ୟ ଦେଖି ଆମ୍ଭ ମନ ଏପରି ଆଶ୍ଚର୍ଯ୍ୟ ଶରୀରରେ ଧରିଲା ନାହିଁ । ଆମ୍ଭର ସେହି ସମୟରେ ଊନବିଂଶତିବର୍ଷ ବୟଃକ୍ରମ ହୋଇଥିଲା ଏବଂ ଆମ୍ଭେ ଅତିଶୟ ଲଜ୍ଜାଶୀଳ, ପୁଣି ଅଳ୍ପଦର୍ଶୀ ଥିଲୁଁ । ସେହି କନ୍ୟାର ଜନନୀ ଆମ୍ଭର ଯଥେଷ୍ଟ ଆଦର କଲେ; ହେତୁ କି, ଚିତ୍ରକୌଶଳରେ ଅତ୍ୟନ୍ତ ତୁଷ୍ଟ ହୋଇଥିଲେ । ଆମ୍ଭର ସଦାଚରଣ ଏବଂ ବିନୀତ ସ୍ୱଭାବ ଦେଖି ସେ ଆହୁରି ସନ୍ତୁଷ୍ଟ ହେଲେ । କିନ୍ତୁ ସେ ଆମ୍ଭଠାରେ ଏପରି ସଦ୍‌ବ୍ୟବହାର କଲେହେଁ ତାଙ୍କ ସୁକୁମାରୀ କନ୍ୟାକୁ ଦେଖିଲାକ୍ଷଣି ଆମ୍ଭ ମନରେ ଅତ୍ୟନ୍ତ ଶଙ୍କା ଉପସ୍ଥିତ ହୋଇଥିଲା । ସେହି ସୁନ୍ଦରୀ ଯେତେବେଳେ ଆମ୍ଭ ନେତ୍ରପଥରେ ପଡ଼ୁଥିଲା, ଆମ୍ଭେ ସେତେବେଳ ଅତ୍ୟନ୍ତ ସଙ୍କୁଚିତ ହେଉଥିଲୁଁ । କ୍ରମେ ତାହାର ଅନୁପମ ରୂପ ଆମ୍ଭ ମନୋରାଜ୍ୟରେ ଏକାଧିପତ୍ୟ ସ୍ଥାପିତ । କେବେ କେବେ ତାହାକୁ ଅପ୍‌ସରୀ ବୋଲି ଭ୍ରମହେଉଥିଲା । ସେ ଯେ ପାର୍ଥିବ ପରମାଣୁରେ ନିର୍ମିତ, ଆମ୍ଭର ଏମନ୍ତ ପ୍ରତ୍ୟୟ ହେଉନଥିଲା । କ୍ରମେ କ୍ରମେ ମନ ନିରତିଶୟ ବିକୃତ ହେଲା । ନୟନଦ୍ୱାରା ତାହାର ମଧୁର ଗରଳ ପିଇ ଆମ୍ଭେ ଅଜ୍ଞାନ ହେଲୁଁ । ମନରେ କେତେ ନବ ନବ ଭାବର ଉଦୟ ହେଲା । ହରିଣନୟନା ଆମ୍ଭର ପ୍ରେୟସୀ ହେବ, କେବେ କେବେ ଏହି ଦୁରାଶା ଆମ୍ଭକୁ ଚଞ୍ଚଳ କରୁଥିଲା । କେତେବେଳେ ଅବା ହତାଶ ହୋଇ ଆକୁଳ ହେଉଥିଲୁଁ । ପ୍ରେମ ଏତେଦିନଯାଏ ଆମ୍ଭ ହୃଦୟରେ ପ୍ରଚ୍ଛନ୍ନଭାବରେ ଥିଲା, ସେହି ବାମଲୋଚନାର ଲାଭଣ୍ୟରେ ଉଦ୍ଦୀପ୍ତ ହେଲା, ପ୍ରେମର ଦୁର୍ଜ୍ଜୟ ପ୍ରଭାବ ଆମ୍ଭେ ଏତେଦିନ ଅନୁଭବ କଲୁଁ ।

 

କିଛି ଦିନ ମଦ୍ୟରେ ଚିତ୍ର ସମାପ୍ତ ହେଲା । ଲରା ମଠକୁ ନେଉଟି ଅଇଲା । କିନ୍ତୁ ତାହାର ସେହି ମନୋହାରିଣୀ ମୂର୍ତ୍ତି ଆମ୍ଭ ହୃଦୟପଟରେ ଅଙ୍କିତ ରହିଲା । ମନରେ ସେହି ଅତୁଳ ସୌନ୍ଦର୍ଯ୍ୟ ଜାଗିରହିଲା । କୌଣସି ସୁନ୍ଦର ପଦାର୍ଥ ଦେଖିଲେ ତାହାର ସେହି ସର୍ବାଙ୍ଗସୁନ୍ଦରୀର ରୂପ ସହିତ ତୁଳନା କରୁଥାଉଁ । ତାହାର ପ୍ରତିମୂର୍ତ୍ତି ଦେଖି ଚଞ୍ଚଳ ମାନସକୁ ପ୍ରବୋଧ ଦେଉଥାଉଁ । ସୁନ୍ଦରୀ ସ୍ତ୍ରୀମାନଙ୍କର ପ୍ରତିମୂର୍ତ୍ତି ଆମ୍ଭେ ଅନାୟାସରେ ଚିତ୍ର କରି ପାରୁଁ ବୋଲି ପ୍ରସିଦ୍ଧ ହୋଇଥିଲୁଁ । ଏହାର କାରଣ କ’ଣ ? ଆଉ କିଛି ନୁହେଁ, ସେହି ମନୋହାରିଣୀ ଏହାର ଆଦି କାରଣ । ଆମ୍ଭ ଶିକ୍ଷକ ଯେଉଁ ଚିତ୍ର ଅଙ୍କିତ କରିବା ନିମନ୍ତେ ଆଦେଶ ଦେଉଥିଲେ, ସେହି ଛବିରେ ଲରାର କିୟଦଂଶ ଲେଖି ଚିତ୍ରକୁ ସୁଶୋଭିତ କରୁଥିଲୁଁ । ଦିନେ ଆମ୍ଭେ ଏକ ମନ୍ଦିର ପାଖରେ ଛିଡ଼ା ହୋଇ ଦେଖିଲୁଁ ଯେ ସେଠାରେ ଅନେକ ଲୋକ ଏକତ୍ରିତ ହୋଇ କାନ୍ଥରେ ଝୁଲୁଥିବା କୌଣସି ପଟରେ ଅଙ୍କିତ ଦେବୀ ପ୍ରତିମୂର୍ତ୍ତି ଦେଖି ଚମତ୍କୃତ ହେଉଅଛନ୍ତି ଏବଂ ବାରମ୍ବାର ପ୍ରଶଂସା କରୁଅଛନ୍ତି । ପୁଣି ଭକ୍ତିପୂର୍ବକ ହାତଯୋଡ଼ି ସେହି ଦେବୀଙ୍କ ପ୍ରତିମୂର୍ତ୍ତିକୁ ଜୁହାର ହେଉଅଛନ୍ତି । ସେମାନେ କାହାକୁ ଜୁହାର ହେଉଥିଲେ ? ସେହି ଲାବଣ୍ୟମୟୀ ଲରାକୁ ! ସେହି ଚିତ୍ତରଞ୍ଜନୀ ଲରାର ପ୍ରଶଂସା କରୁଥିଲେ ।

 

ଆମ୍ଭେ ଏହିପରୂପେ ଥୋକାଏ ଦିନ ଯାପିଲୁଁ । ସେହି ସୁଖକାଳ ଆମ୍ଭକୁ ସ୍ୱପ୍ନାବସ୍ଥା ପ୍ରାୟ ଦିଶୁଥିଲା । ଆମ୍ଭର କଳ୍ପନା ଏମନ୍ତ ବଳବତୀ ଥିଲା ଯେ ସେହି ନବୀନା ଲରାର ପ୍ରତିମୂର୍ତ୍ତି ମୁହୂର୍ତ୍ତ ମଧ୍ୟରେ ହୃଦୟ ଅଗ୍ରତେ ପଡ଼ୁଥିଲା । ପୁଣି ଆମ୍ଭେ ସର୍ବଦା ନିର୍ଜନରେ ଭ୍ରମଣ କରୁଥିଲୁଁ । ଭ୍ରମଣ ବେଳେ ଅନେକ ନବ ନବ ଭାବର ଉଦୟ ହେଉଥାଏ, ମନରେ ଅନେକ ଅନନୁଭୂତପୂର୍ବ ବାସନା ଜାତ ହେଉଥାଏ । ଉଦ୍ୟାନ ପୁଷ୍ପମାନ ସେହି ସୁକୁମାରୀର ସୌନ୍ଦର୍ଯ୍ୟକୁ ସ୍ମୃତିପଥାରୂଢ଼ କରାଉଥିଲେ-। ମଧୁରାଳାପୀ ପକ୍ଷୀମାନଙ୍କ ମଧୁର ଗୀତ ଶୁଣି ଲରାର ମିଷ୍ଟସ୍ୱର ମନରେ ପଡ଼ୁଥିଲା-। ବିକଶିତ ଗୋଲାପ ଫୁଲ ତାହାର କୋମଳ କରତଳର ସ୍ମାରକ ହେଉଥିଲା । ଆମ୍ଭେ ସ୍ୱଭାବଶୋଭା ଦେଖି ଦିନ ଏହିପରି ଯାପୁଥିଲୁଁ । ଅନନ୍ତର ଗୋଟିଏ ଶୋଚନୀୟ ବ୍ୟାପାର ଘଟିଲା-। ଆମ୍ଭେ ତଦ୍ଦ୍ୱାରା ଏହି ସୁଖସ୍ୱପ୍ନରୁ ଜାଗିଲୁଁ । ଆମ୍ଭର ନିତ୍ୟ ହିତାକାଂକ୍ଷୀ ସେହି ଚିତ୍ରକର ପଞ୍ଚତ୍ୱ ପ୍ରାପ୍ତ ହେଲେ । ତାଙ୍କ ମୃତ୍ୟୁରେ ଆମ୍ଭର ଶୋକସିନ୍ଧୁ ଉଛୁଳିଲା । ନିଃସହାୟ ଉଛୁଳିଲା । ନିଃସହାୟ ହୋଇ ଭଗ୍ନୋତ୍ସାହ ହେଲୁଁ । ସେହି ଚିତ୍ରକର ଅନ୍ତିମକାଳରେ ଅନୁଗ୍ରହ କରି ଆମ୍ଭକୁ ତାଙ୍କର ସମସ୍ତ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ନିଯୁକ୍ତ କରି ଗଲେ । ମାତ୍ର ସେହି ସମ୍ପତ୍ତି ଅଧିକ ନ ଥିଲା । ତାଙ୍କର ଏକ ପରମବାନ୍ଧବ ଥିଲେ, ଆମ୍ଭର ରକ୍ଷଣାବେକ୍ଷଣର ଭାର ସେହି ବନ୍ଧୁଙ୍କୁ ଅର୍ପଣ କରି ପ୍ରାଣତ୍ୟାଗ କଲେ। ସେହି ଚିତ୍ରକରଙ୍କ ବଦାନ୍ୟତା ଆମ୍ଭେ କେବେହେଁ ପାସୋରିବୁଁ ନାହିଁ ।

 

ତାଙ୍କ ବନ୍ଧୁ ଅତ୍ୟନ୍ତ ଦାତା ବୋଲି ପ୍ରସିଦ୍ଧ ଥିଲେ, ପୁଣି ତାଙ୍କର ଅସାଧାରଣ ଶିଳ୍ପବିଦ୍ୟୋତ୍ସାହିତା ଥିଲା । ଆମ୍ଭ ପଛକୁ ଗୋଟିଏ ନିପୁଣ ଚିତ୍ରକର ହେବୁଁ, ଏହା ସେ ଅନାୟାସରେ ବୁଝିପାରିଲେ । ଆମ୍ଭର ଅଙ୍କିତ ଛବି ଦେଖି ସେ ଯତ୍ପରୋନାସ୍ତି ପରିତୁଷ୍ଟ ହେଲେ ଏବଂ ଆନନ୍ଦିତ ଚିତ୍ତରେ ଆମ୍ଭ ପ୍ରତିପୋଷଣ ଭାର ନେଲେ । ତାଙ୍କର ଏକ ସୁରମ୍ୟ ଗ୍ରାମ୍ୟ ଉପବନ ଥିଲା । ଆମ୍ଭକୁ ଶୋକରେ ଅଭିଭୂତ ହୋଇଥିବାର ଦେଖି ଆମ୍ଭର ସାନ୍ତ୍ୱନା ପାଇଁ ସେଠାବରେ କେତେକ ଦିନ ଅବସ୍ଥାନ କରିବା ନିମନ୍ତେ ଆମ୍ଭକୁ ସଙ୍ଗେ ଘେନି ଯାତ୍ରା କଲେ । କିଛିଦିନ ବାଦ ସେଠାରେ ପହଞ୍ଚିଲୁ-। ସେହି ଉଦ୍ୟାନ ସମୁଦ୍ରକୂଳରେ ଅବସ୍ଥିତ ଥିଲା । ତାହାର ପଶ୍ଚିମ ଦିଗରେ ନଭୋନିଭ ନୀଳବର୍ଣ୍ଣ ପର୍ବତଶ୍ରେଣୀ ବିରାଜିତ ଥିଲା । ଆମ୍ଭେ କେବେ କେବେ ସେହି ପର୍ବତରେ ବୁଲୁଥିଲୁଁ । କେତେବେଳେ ଅବା ଶୃଙ୍ଗରେ ଚଢ଼ି ଚତୁର୍ଦ୍ଦିଗକୁ ନୟନ ନିକ୍ଷେପ କରୁଥିଲୁଁ । ସେ ଶୋଭା ବର୍ଣ୍ଣିବାର ଆମ୍ଭର ସାଧ୍ୟ ନୁହଇ କେଉଁଠାରେ ତରଳ ରୌପ୍ୟବତ୍ ସ୍ୱଚ୍ଛବାରିବିଶିଷ୍ଟ ପ୍ରକାଣ୍ଡ ହ୍ରଦ, କେଉଁଠାରେ ଗଗନନିନାଦୀ ଜଳପ୍ରପାତ, କେଉଁଠାରେ ମରକତନିଭ ହରିଦ୍‌ବର୍ଣ୍ଣ ତରୁ ଶୋଭିତ ଉପତ୍ୟକା, କେଉଁଠାରେ ନବଦୂର୍ବାଦଳଶ୍ୟାମ ପ୍ରଶସ୍ତ ପ୍ରାନ୍ତର, କେଉଁଠାରେ ଭୀଷଣ ତରଙ୍ଗସଙ୍କୁଳା ପ୍ରବାହିନୀ ଦୃଷ୍ଟଗୋଚର ହେଉଥିଲା । ସେ ସ୍ଥାନର ପରମ-ରମଣୀୟ ଶୋଭା ସଂଦର୍ଶନ କରି ଆମ୍ଭର ନୟନ ସାର୍ଥକ ହେଲା । ଆମ୍ଭର ଅନୁଗ୍ରାହକ ସେହି ଭଦ୍ରଲୋକଙ୍କର ଫିଲିପ ନାମଧେୟ ଏକ ପୁତ୍ର ଥିଲେ । ସେହି ରମ୍ୟ ଉଦ୍ୟାନରେ ତାଙ୍କ ସହିତ ଆମ୍ଭର ପ୍ରଥମ ପରିଚୟ ହେଲା । ସେ ଆମ୍ଭର ସମାନବୟସ୍କ ଥିଲେ । ତାଙ୍କ ସଦ୍‌ପ୍ରକୃତି ଏବଂ ସଦ୍‌ବ୍ୟବହାର ଦେଖି ଆମ୍ଭେ ଅତିଶୟ ପ୍ରୀତ ହେଲୁଁ-। ପ୍ରଥମେ ଆମ୍ଭେ ତାଙ୍କୁ ଅତି ଭଦ୍ର ଏବଂ ସୁଶୀଳ ବୋଲି ଜାଣିଥିଲୁଁ । କିନ୍ତୁ ଅଳ୍ପ ଦିନ ମଧ୍ୟରେ ଆମ୍ଭର ସେହି ଭ୍ରାନ୍ତି ଘୁଞ୍ଚିଗଲା । ତାଙ୍କର ସେହି ବ୍ୟବହାର କୃତ୍ରିମ, ଶୀଘ୍ର ଏହା ଜାଣିପାରିଲୁଁ । ଆମ୍ଭ ପରୋକ୍ଷରେ ସେ କେବେ କେବେ ଆମ୍ଭର କୁତ୍ସା କରୁଥିଲେ ଏବଂ ଆମ୍ଭର ଶିଳ୍ପନୈପୁଣ୍ୟ ଦେଖି ଈର୍ଷୀ ହେଉଥିଲେ । ଆମ୍ଭର ସେଠାରେ କେହି ବନ୍ଧୁ ନଥିଲେ; ସୁତରାଂ ଆକୁଳ ହୃଦୟକୁ ଶାନ୍ତ କରିବା ନିମନ୍ତେ ତାଙ୍କ ସହିତ ମିତ୍ରତା କରିବାକୁ ବାଧ୍ୟହେଲୁଁ । ସେ ସୁଶିକ୍ଷିତ ନଥିଲେ-। ତାଙ୍କୁ ଭଳି ଆମ୍ଭେ ଅନେକ ବିଷୟରେ ଉତ୍କୃଷ୍ଟ ଥିଲୁଁ, ପୁଣି ସେ ସୁଦ୍ଧା ଏହା ଅକୁଣ୍ଠିତ ହୃଦୟରେ ସ୍ୱୀକାର କରୁଥିଲେ; ଆମ୍ଭେ ମୁକ୍ତ କଣ୍ଠରେ ତାଙ୍କଠାରେ ତାବତ୍‌ ବୃତ୍ତାନ୍ତ କହିଲୁଁ । ସେ ମଧ୍ୟ କୌଣସି କଥା ଆମ୍ଭଠାରେ ଲୁଚାଉ ନଥିଲେ । ପ୍ରଧାନ ବୋଲି ଆମ୍ଭଠାରେ କେବେହେଁ ନିଷ୍ଠୁର ଆଚରଣ କରୁନଥିଲେ । ଆମ୍ଭର ସୌହାର୍ଦଶୃଙ୍ଖଳ ଦିନକୁଦିନ ଦୃଢ଼ୀଭୂତ ହେବାକୁ ଲାଗିଲା । ଦୁହେଁ ଦୁହିଁଙ୍କର ପରମ ପ୍ରେମାସ୍ପଦ ହେଲୁଁ । ଏମନ୍ତ ହେଲେ ହେଁ କେବେ କେବେ ଆମ୍ଭେ ଏକା ବସି ଚିନ୍ତାମଗ୍ନ ହେଉଥିଲୁଁ ଏବଂ ଲରା ସମ୍ବନ୍ଧୀୟ ବିଷୟମାନ ସ୍ମରଣ କରି ଅଶ୍ରୁଜଳରେ ବକ୍ଷସ୍ଥଳକୁ ପ୍ଳାବିତ କରୁଥିଲୁଁ ।

 

ସେହି ଉପବନ ନାନାବିଧ ରମଣୀୟ ବସ୍ତୁରେ ପରିପୂର୍ଣ୍ଣ ଥିଲା । ସ୍ଥାନେ ସ୍ଥାନେ ଚିକ୍‌କଣ ମର୍ମର ପ୍ରସ୍ତର ମୂର୍ତ୍ତି ସ୍ଥାପିତ ଥିବ। ଶୀତଳ ଛାୟା–ବିଶିଷ୍ଟ ଲତାମଣ୍ଡପରେ ବସି ପକ୍ଷୀମାନେ ମଧୁର ରାବ ଦେଉଥିଲେ । ସୁଗନ୍ଧି ଫୁଲ ସୌରଭରେ ବାସିତ ପବନ ସର୍ବଦା ଆମ୍ଭର ସୁଖସେବ୍ୟ ହେଉଥିଲା । ଗୁଡ଼ାଏ କହିବୁ କ’ଣ, ସେହି ଉପବନ ଯାବତୀୟ ଚିତ୍ତରଞ୍ଜନ ପଦାର୍ଥର ଆବାସ ପ୍ରାୟ ଥିଲା । ସେହି ବିଚିତ୍ର ସ୍ଥାନରେ କିଛି ଦିନ ଅବସ୍ଥାନ କରି ଆମ୍ଭ ମନୋଦୁଃଖର କିଞ୍ଚିତ୍ ହ୍ରାସ ହେଲା । କ୍ରମଶଃ ସ୍ଥିରଚିତ୍ତ ହେଲୁଁ । ମାତ୍ର ଲରା ରୂପ ହୃଦୟରେ ସର୍ବଦା ଜାଗିରହିଲା । ବସ୍ତୁତଃ ସେ ଅଲୌକିକ ଲାବଣ୍ୟକୁ ପାସୋରିବାର ଦୁଷ୍କର ଅଟେ ।

 

ଏହି ରୂପେ ସେଠାରେ କିଛି ଦିନ ଗଲା । ଅନ୍ତରର ଏକ ଭଦ୍ରମହିଳା ସେଠାକୁ ଆସିଲେ-। ସେହି ମହିଳା ଆମ୍ଭ ପ୍ରଭୁଙ୍କର ଆତ୍ମୀୟା । ତାଙ୍କ ଜନନୀର ମରଣାନ୍ତେ ତାଙ୍କ ରକ୍ଷଣାବେକ୍ଷଣର ଭାର ଆମ୍ଭ ପ୍ରଭୁଙ୍କ ଉପରେ ପଡ଼ିଲା । ଏଥିପୂର୍ବରେ ଆମ୍ଭେ ଫିଲିପିଙ୍କ ମୁଖରୁ ସେହି ଲଳନାର ରୂପର କଥା ଶୁଣୁଥିଲୁଁ; ମାତ୍ର ଆମ୍ଭ ମନ ଯେଉଁ ଲାବଣ୍ୟରେ ବୁଡ଼ିରହିଥିଲା, ସେହି ଲାବଣ୍ୟ ପରି ଲାବଣ୍ୟ ଜଗତରେ ନାହିଁ, ଆମ୍ଭର ଏହି ଦୃଢ଼ ବିଶ୍ୱାସ ଥିଲା । ସେହି ମହିଳା ଯେତେବେଳେ ସେଠାରେ ପହଞ୍ଚିଲେ, ଆମ୍ଭେ ସେ ସମୟରେ ପ୍ରାସାଦ ମଧ୍ୟରେ ବସିଥିଲୁଁ । ସେ ଅତ୍ୟନ୍ତ ଶୋକାର୍ତ୍ତ ହୋଇଥିଲେ, ଆମ୍ଭେ ପ୍ରଥମେ ତାଙ୍କ ମୃଦୁ ଗଗନ ଏବଂ ଶୋକସୂଚକ କୃଷ୍ଣବସନ ଦେଖି ଖିନ୍ନ ହେଲୁଁ-। ସେ କ୍ରମଶଃ ଆମ୍ଭ ନିକଟବର୍ତ୍ତୀ ହେବାକୁ ଲାଗିଲେ । ମୁହୂର୍ତ୍ତ ଉତ୍ତାରେ ଆମ୍ଭେ ଅତ୍ୟନ୍ତ ବିସ୍ମୟାନ୍ୱିତ ହେଲୁଁ, ସେ ସେହି ଲରା ! ସେହି ବାମାକୁଳେଶ୍ୱରୀ ଲରା ! ଆମ୍ଭର ସେହି ମନୋମୋହିନୀ ଲରା ! ତାଙ୍କ ବଦନସୁଧାକର ଶୋକଘନରେ ଆଚ୍ଛନ୍ନ ଥିଲା । କିନ୍ତୁ ଆମ୍ଭେ ପୂର୍ବରେ ଯେଉଁ ମାଧୁରୀ ଦେଖିଥିଲୁଁ, ସେହି ମାଧୁରୀ ବୟୋବୃଦ୍ଧି ସହିତ ବହୁ ପରିମାଣରେ ବଢ଼ିଗଲା । ପୂର୍ବରେ ଆମ୍ଭେ ଯାହାକୁ କଳିକାରୂପେ ଦେଖିଥିଲୁଁ, ଏବେ ତାହା ପ୍ରସ୍ଫୁଟିତ ହୋଇଅଛି। କୌଣସି ପ୍ରସିଦ୍ଧ କବି ଲେଖିଅଛନ୍ତି ଯେ, ଯେଉଁମାନେ ଆମ୍ଭର ସ୍ନେହପାତ୍ର ଅଟନ୍ତି, ସେମାନଙ୍କୁ ଦୁଃଖିତ ଦେଖିଲେ ସେମାନଙ୍କଠାରେ ଆମ୍ଭ ସ୍ନେହ ଶତଗୁଣ ହୋଇ ବର୍ଦ୍ଧିତ ହୁଏ । ଏଥିନିମନ୍ତେ ସେହି ସୁକେଶୀ ଆମ୍ଭ ନୟନର ଅଧିକତର ମନୋହାରିଣୀ ହେଲେ ।

 

ଆମ୍ଭକୁ ଦେଖିବାମାତ୍ରେ ତାହାଙ୍କ ଦେହ କମ୍ପିଲା । ଲଜ୍ଜାରେ କୋମଳ କପୋଳ ଲୋହିତ ବର୍ଣ୍ଣର୍ ହେଲା । ପୂର୍ବରେ ଯେତେବେଳେ ଆମ୍ଭେ ତାଙ୍କ ସଙ୍ଗରେ ଏକତ୍ର ଅବସ୍ଥାନ କରୁଥିଲୁଁ, ସେ ସମୟରେ ତାଙ୍କ ଜନନୀ ଜୀବିତ ଥିଲେ, ଆମ୍ଭକୁ ଦେଖି ତାଙ୍କର ମାତୃଶୋକ ଉଦ୍ଦୀପ୍ତ ହେଲା, ନୟନରୁ ମୁକ୍ତାଗଞ୍ଜି ଅଶ୍ରୁବିନ୍ଦୁ ଝରିଲା । ତାଙ୍କର ସେହି ଶୋଚନୀୟ ଦଶା ଦେଖି ମନରେ ଯେମନ୍ତ ଦୁଃଖର ଉଦୟ ହେଲା, ତାହା କ’ଣ କହିବୁଁ! ପୂର୍ବରେ ତାଙ୍କ ସହିତ କଥା କହିବାକୁ ସୁଦ୍ଧା ଆମ୍ଭେ ଲଜ୍ଜିତ ହେଉଥିଲୁଁ । ସେହି ଲଜ୍ଜା କ୍ରମେ ଭାଙ୍ଗିଗଲା ।

 

ଶ୍ରଦ୍ଧାସ୍ପଦ ଅଭିଭାବକଙ୍କ ମରଣରେ ଖିନ୍ନ ହୋଇଥିଲୁଁ । ଦୁହେଁ ଦୁହିଁଙ୍କ ଦୁଃଖରେ ବିମର୍ଷ ପ୍ରାପ୍ତ ହେଲୁଁ । ପୁଣି ସେହି ଲରାଙ୍କ ମାନସିକ ବୃତ୍ତି ଏବଂ ଆମ୍ଭ ମାନସିକ ବୃତ୍ତି ଏକପ୍ରକାର ଥିଲା । ତାଙ୍କ ପକ୍ଷରେ ସଂସାର ନୂଆ ପଦାର୍ଥ ପ୍ରାୟ ହୋଇଗଲା; ଆମ୍ଭେ ମଧ୍ୟ ସଂସାରାଶ୍ରମରେ ପ୍ରବିଷ୍ଟ ହୋଇନଥିଲୁଁ । ପ୍ରାକୃତିକ ଶୋଭା ଦର୍ଶନରେ ତାଙ୍କର ଅତ୍ୟନ୍ତ ଆଗ୍ରହ ଥିଲା; ଆମ୍ଭର ମଧ୍ୟ ସ୍ୱଭାବ ଶୋଭା ଦେଖିବାର ସ୍ପୃହା ବଳବତୀ ଥିଲା । ତାଙ୍କ ସରଳତା ଦେଖି ଆମ୍ଭେ ମୁଗ୍‌ଧ ହୋଇଗଲୁଁ । ତାଙ୍କ ଉଦାର ପ୍ରକୃତି, ନବୀନ ବୟସ, ଅତୁଳ ରୂପମାଧୁରୀ ଆମ୍ଭକୁ ଉନ୍ମତ୍ତ କଲା । ଆମ୍ଭେ ତାଙ୍କୁ ସୁରାଙ୍ଗନା ବୋଲି ଅନୁମାନ କରୁଥିଲୁଁ । ଏପରି ଲଳନାର ଯୋଗ୍ୟ ପାତ୍ର ନୋହୁଁ, ଏହି ବିବେଚନାରେ ଆପଣାକୁ କେତେ ଧିକ୍‌କାର ଦେଉଥିଲୁଁ । ତଥାଚ ସେ ମାନବୀ ବିନୁ ଆନ କିଛି ନଥିଲେ । ତାଙ୍କ ମନ ପ୍ରଣୟରସରେ ପରିପୂର୍ଣ୍ଣ ଥିଲା । ସେ ଆମ୍ଭକୁ ସ୍ନେହ କରୁଥିଲେ । ସହୋଦରଠାରେ ସହୋଦର ଯେମନ୍ତ ସ୍ନେହ କରଇ, ସେହି ସ୍ନେହ ? ନା ! ସ୍ୱାମୀଠାରେ ପ୍ରେୟସୀ ଯେପରି ସ୍ନେହ କରଇ, ସେହି ସ୍ନେହ !

 

ଆମ୍ଭକୁ ସେ ସ୍ନେହ କରନ୍ତି ବୋଲି ଆମ୍ଭେ ପ୍ରଥମରେ କିପରି ବୁଝିପାରିଲୁଁ, ତାହା ଆମ୍ଭର ସ୍ମରଣ ହେଉନାହିଁ । କି ପ୍ରକାରେ ଏହ ଭାବ ଆମ୍ଭ ମନରେ ପ୍ରବିଷ୍ଟ ହେଲା, କେହି ନ ପାରୁଁ । ଦୁହେଁ ନବୀନ ବୟସ୍କ ଥିଲୁଁ । ସବୁବେଳେ ପରସ୍ପର ବାକ୍ୟାଳାପ କରୁଥିଲୁଁ, ଏକରୂପ କର୍ମରେ ସର୍ବଦା ରତ ଥିଲୁଁ । ସଙ୍ଗୀତ, କାବ୍ୟାଧ୍ୟୟନ, ଚିତ୍ର-ବିଦ୍ୟାଶିକ୍ଷା ମ୍ଭର ପ୍ରଧାନ ବିନୋଦ ଥିଲା । ସେ ସମୟରେ ଆମ୍ଭେ ଯେଉଁ ସ୍ଥାନରେ ଅବସ୍ଥାନ କରୁଥିଲୁଁ, ସେହି ସ୍ଥାନ ମନୋହର ପୁଣି ନିର୍ଜନ ହେବାରୁ ଅଧିକତର ପ୍ରୀତିକର ହୋଇଥିଲା । ଏପରି ସ୍ଥଳ, ଏପରି ଅବସ୍ଥାରେ ଯେ ପରସ୍ପର ପ୍ରୀତି ଜନ୍ମିବ, ଏଥିରେ ବିଚିତ୍ର କ’ଣ ?

 

ଆହା ! କି ସୁଖର ସମୟ ! କି ଅନିର୍ବଚନୀୟ ଆନନ୍ଦର ସମୟ । ମନୁଷ୍ୟମାନଙ୍କ ସୁଖ ଯେବେ ଚିରସ୍ଥାୟୀ ହୁଅନ୍ତା, ତାହାହେଲେ ଇହକାଳରେ ପରକାଳର ସୁଖ ଲବ୍‌ଧ ହୁଅନ୍ତା । ବିଶ୍ୱନିୟନ୍ତାଙ୍କର ଏପରି ନିୟମ ନୁହେଁ । ନରମାନଙ୍କ ସୌଭାଗ୍ୟ କ୍ଷଣଭଙ୍ଗୁର । ଆମ୍ଭକୁ ସେହି ସ୍ଥାନ ସ୍ୱର୍ଗବତ୍ ବୋଧ ହେଲା । କିପାଇଁ ଅବା ନ ହେବ ? ଏପରି ରମଣୀ, ଏପରି ପ୍ରଣୟମୟୀ ରମଣୀ-ସହବାସରେ କାହାର ମନ ହର୍ଷ-ସମୁଦ୍ରରେ ନିମଗ୍ନ ନ ହୁଏ ? ସେହି କାମିନୀରତ୍ନକୁ ସଙ୍ଗେ ଘେନି ଆମ୍ଭେ କେତେ କେତେ ସ୍ଥାନରେ ପରିଭ୍ରମଣ କରୁଥିଲୁଁ; ସମୁଦ୍ରକୂଳରେ ଚନ୍ଦ୍ରୋଦୟ ଦେଖି ଦୁଇ ଜଣ କେଡ଼େ ଆନନ୍ଦ ଅନୁଭବ କରୁଥିଲୁଁ । ଚଞ୍ଚଳ ଅଚଳ ପ୍ରାୟ ସାଗରର ଉତ୍ତୁଙ୍ଗ ତରଙ୍ଗମାଳା ଦେଖୁଥିଲୁଁ-। ସେହି ସର୍ବାଙ୍ଗସୁନ୍ଦରୀ କେବେ କେବେ ପର୍ବତ ଆରୋହଣ କରିବାକୁ ଅଭିଳାଷ କରନ୍ତେ ଆମ୍ଭେ ତାଙ୍କ ସଙ୍ଗେ ଗମନ କରୁଥିଲୁଁ । ସେ ଆମ୍ଭ ବାମ ହସ୍ତ ଧରି ଚଳୁଥିଲେ । ଦୁଇ ଜଣ ଘନ ଅରଣ୍ୟରେ ପ୍ରବିଷ୍ଟ ହୋଇ ମଧୁର କଷ୍ଠ ପକ୍ଷୀମାନଙ୍କ ସଙ୍ଗୀତ ଶୁଣୁଥିଲୁଁ । ଆହା ! କିଛି ହିଁ ଚିରସ୍ଥାୟୀ ନୁହେଁ, ଦିନ ଗଲେ ରାତ୍ର ହୁଅଇ; ପ୍ରଖର ରୌଦ୍ର ଉତ୍ତାରେ ବୃଷ୍ଟି ହୁଅଇ ଜଗତର ଏହି ନୀତି ଆମ୍ଭେ ପାସୋରିଗଲୁଁ ।

 

ଏହି ସ୍ୱପ୍ନତୁଲ୍ୟ ଅବସ୍ଥାରେ କେତେକ ଦିନ ଗଲା । ଦୁହିଁଙ୍କ ମଧ୍ୟରୁ ଆଗେ ଆମ୍ଭର ଚେତନା ହେଲା । ଆମ୍ଭେ ଆଗେ ଲରାର ମନୋହରଣ କରିଥିଲୁଁ, ମାତ୍ର ସେଥିରୁ ଆମ୍ଭର କିଛି ଭାବୀ ଶୁଭ ସମ୍ଭାବନା ନ ଥିଲା । ଆମ୍ଭେ ଦରିଦ୍ର ଥିଲୁଁ । ଧନହୀନ ହୋଇ ଲରାର ପାଣିଗ୍ରହଣ କରିବା ଆଶା ଦୁରାଶା ମାତ୍ର । ଆମ୍ଭଠାରେ ଲରାଙ୍କର ଅତ୍ୟନ୍ତ ସ୍ନେହ ଥିଲା; ତାଙ୍କ ପାଣିପୀଡ଼ନ କରି ତାଙ୍କୁ ଚିରଦୁଃଖିନୀ କରିବା ଆମ୍ଭ ପକ୍ଷରେ କି ରୂପରେ ନ୍ୟାୟସଙ୍ଗତ ହୋଇପାରେ ? ଆମ୍ଭେ କ’ଣ ଏହିରୂପେ ତାଙ୍କ ପ୍ରଣୟରଣ ପରିଶୋଧ କରନ୍ତୁ ? ସେହି ଉଦ୍ୟାନର ଅଧିକାରୀ ଆମ୍ଭ ପ୍ରଭୁ ଆମ୍ଭର ଯଥେଷ୍ଟ ଆଦର କରୁଥିଲେ । ଆମ୍ଭେ କ’ଣ ଏହିରୂପେ ତାଙ୍କଠାରେ କୃତଜ୍ଞତା ପ୍ରଦର୍ଶନ କରନ୍ତୁ ?

 

ଏତେ ଦିନେ ଆମ୍ଭେ ବୁଝିଲୁଁ ଯେ ଅକୃତ୍ରିମ ପ୍ରଣୟରେ ସୁଦ୍ଧା ଅନିଷ୍ଟ ଜନ୍ମିପାରେ । ଚିନ୍ତାକୀଟ ଥରକୁଥର ଆମ୍ଭ ହୃଦୟକଳୀ କାଟିଲା । କୌଣସି ଗୁରୁତର ଅପରାଧ କଲାପରେ ଅପରାଧୀର ମନ ଯେପରି ଅସ୍ଥିର ହେଉଥାଏ, ଆମ୍ଭ ମନ ସେହିପରି ହେଲା । କ୍ଷିପ୍ତ ପ୍ରାୟ ଏଣେତେଣେ ବୁଲିବାକୁ ଲାଗିଲୁଁ । ଚୋର ମନ ଯେମନ୍ତ ନିତି ଶଙ୍କିତ ହୁଏ, ଆମ୍ଭ ମନ ମଧ୍ୟ ସେହିପରି ହେଲା । ପ୍ରଭୁଙ୍କୁ ଦେଖିଲେ ଆମ୍ଭ ମନ ବିଷର୍ଣ୍ଣ ହୋଇଯାଏ; ତାଙ୍କଠାରେ ବିଶ୍ୱାସଘାତକତା କରିଅଛୁଁ, ଏହି ଚିନ୍ତାରେ ଯତ୍‌ପରୋନାସ୍ତି ଭୀତ ହେଉଁ । ପୂର୍ବରେ ଆମ୍ଭ ପ୍ରଭୁ ଆମ୍ଭକୁ ଅତ୍ୟନ୍ତ ସ୍ନିଗ୍‌ଧ ନୟନରେ ଚାହୁଁଥିଲେ ଏବଂ ଆମ୍ଭଠାରେ ଅତ୍ୟନ୍ତ ସ୍ନେହ କରୁଥିଲେ । ଏବେ ସେହି ସ୍ନେହ ଊଣା ହେବାର ଦେଖିଲୁଁ । ଏଣିକି ସେ ଆମ୍ଭକୁ ଦେଖି ବିରକ୍ତି ପ୍ରକାଶ କଲେ । ଆମ୍ଭ ସହିତ ସାହଙ୍କାର ବାକ୍ୟରେ କଥା କହିଲେ ।

 

ଫିଲିପର ଆଚରଣରେ ମଧ୍ୟ ବୈଲକ୍ଷଣ୍ୟ ଦେଖିଲୁଁ । ସେ ଆଉ ପୂର୍ବପରି ଆମ୍ଭ ସହିତ ମଧୁରାଳପ ନକଲେ । ପୂର୍ବରେ ଆମ୍ଭ ସଙ୍ଗେ, ଯେପରି ଘନିଷ୍ଠତା କରିଥିଲେ, ଏବେ ଆଉ ସେପରି ଦେଖିଲୁଁ ନାହିଁ । ଏହି ସବୁ ଦେଖି ଶୁଣି ଆମ୍ଭେ ହତାଶ ହେଲୁଁ । ଆପଣାକୁ ନିତାନ୍ତ ଦୁର୍ଭାଗ୍ୟ ମଣିଲୁଁ-। ଜୀବନ ଭାର ହେଲା । ଆମ୍ଭେ ସ୍ୱଭାବତଃ ଅତ୍ୟନ୍ତ ଅଭିମାନୀ ଥିଲୁଁ । ସୁତରାଂ ଅଭିଭାବକଙ୍କ ସେହି ଆଚରଣ ଆମ୍ଭର ଅସହ୍ୟ ହେଲା । ସେଠାରୁ ସ୍ଥାନାନ୍ତରିତ ହେବା ନିମନ୍ତେ ପ୍ରତିଜ୍ଞା କଲୁଁ । ସ୍ଥାନାନ୍ତରିତ ଅବା କିରୂପେ ହେବୁଁ ? ଲରାର ସହବାସରୁ ବଞ୍ଚିତ ହେବାଠାରୁ ଆମ୍ଭକୁ ମରଣ ଶ୍ରେୟସ୍କର ବୋଧହେଲା । ତାଙ୍କ ବିରହରେ କିରୂପେ ଦିନ ଗମିବୁଁ ?

 

ଅଭିଭାବକ ପ୍ରଭୃତିଙ୍କର ଏହି ଗର୍ହିତ ବ୍ୟବହାର ଦେଖି ଆମ୍ଭେ ଅତ୍ୟନ୍ତ ବିରକ୍ତ ହେଲୁଁ; ଆମ୍ଭର ଅହଂକାର ଉତ୍ତରୋତ୍ତର ବଢ଼ିଲା । ଆମ୍ଭେ ଯେ ସଦ୍‌ବଂଶୋଭବ, ଏହା ସେମାନଙ୍କୁ ଜଣାଇବା ନିମନ୍ତେ କେବେ କେବେ ଆମ୍ଭର ବାସନା ହେଉଥିଲା । ମାତ୍ର ସେହି ବାସନା ଅଳ୍ପକାଳ ସ୍ଥାୟିନୀ । ଆମ୍ଭେ ଯେ ନିଜେ ସେହି ମହତ୍ ପରିବାରରୁ ଭ୍ରଷ୍ଟ ହୋଇଅଛୁଁ, ଏହା ମନ ମଧ୍ୟରେ ଉଦିତ ହେଲାକ୍ଷଣି ଆମ୍ଭର ଗର୍ବ ଚୂର୍ଣ୍ଣ ହୋଇଯାଏ, ନୈରାଶ୍ୟକୂପରେ ଅନ୍ତଃକରଣ ନିପତିତ ହୁଅଇ-

 

ଏହି ଦୁର୍ଭାବନାରେ ଆମ୍ଭର ମାନସିକ ଶକ୍ତି ଏବଂ ଶାରୀରିକ ସ୍ୱାସ୍ଥ୍ୟର ହାନି ହେଲା । ଲରା ଆମ୍ଭକୁ ସ୍ନେହ କରନ୍ତି, ଏହି ଚିନ୍ତାରେ ଆମ୍ଭେ ଆହ୍ଲାଦିତ ନ ହୋଇ ଆହୁରି ଦୁଃଖିତ ହେଲୁଁ । ଆମ୍ଭେ ଏମନ୍ତ ରତ୍ନରୁ ବଞ୍ଚିତ ହେବୁଁ, ଯେତେବେଳେ ଏହି କଥା ଆମ୍ଭ ମନରେ ପଡ଼େ, ଆମ୍ଭର ହୃଦୟ ଅତଳ ଶୋକଜଳରେ ନିମଗ୍ନ ହୁଏ । ଲରା ଯେବେ ଆମ୍ଭଠାରେ ସ୍ନେହ କରୁ ନଥାନ୍ତେ, ତେବେ ଆମ୍ଭର କଦାଚ ଏପରି କଷ୍ଟ ହୁଅନ୍ତା ନାହିଁ। ପୂର୍ବରେ ସେହି ଲରାକୁ ଦେଖିଲେ ଆମ୍ଭେ ହର୍ଷରେ ଅଧୀର ହେଉଥିଲୁଁ; ମାତ୍ର ଏବେ ବିଷାଦରେ ଅଧୀର ହେଲୁଁ । ଆଉ ସେହି ଲାବଣ୍ୟ ଆମ୍ଭର ନୟନାନନ୍ଦକ ହେଲା ନାହିଁ; ସେହି ବୀଣାଗଞ୍ଜିତ ସ୍ୱର କର୍ଣ୍ଣକୁ ସୁଖପ୍ରଦ ହେଲାନାହିଁ, ସେହି ମନ୍ଦ ମନ୍ଦ ଦରହାସ୍ୟ ପ୍ରୀତିକର ହେଲା ନାହିଁ ।

 

ଲରା ଅତିଶୟ ସରଳହୃଦୟା ଥିଲେ । ଆମ୍ଭଠାରେ ଏହି ବୈଲକ୍ଷଣ୍ୟ ଦେଖି ଦିନେ ନିର୍ଜନରେ ଆମ୍ଭକୁ ସେଥିର ହେତୁ ପଚାରିଲେ । ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ରହି ହେଲା ନାହିଁ । ଆମ୍ଭେ ଏଡ଼େ କାତର ହୋଇଥିଲୁଁ ଯେ ତାଙ୍କଠାରେ ଆପଣା ମନୋଗତ ଦୁଃଖ ମୁକ୍ତକଣ୍ଠରେ ଫେଡ଼ି କହିଲୁଁ । କାତରସ୍ୱରରେ ତାଙ୍କୁ ସମ୍ବୋଧନ କରି କହିଲା, ‘‘ଲରା ! ଆମ୍ଭେ ତୁମ୍ଭର ଯୋଗ୍ୟପାତ୍ର ନୋହୁଁ, ଆମ୍ଭେ ପରିବାରଭ୍ରଷ୍ଟ, ଆମ୍ଭର ଘର ନାହିଁ, ଅର୍ଥ ନାହିଁ, ଖ୍ୟାତି ନାହିଁ, କିପରି ଅବା ତୁମ୍ଭର ହେବୁଁ ? ଲରା! ଆମ୍ଭେ ଏପରି ଦରିଦ୍ର ହେଲେହେଁ ତୁମ୍ଭ ପାଣିଗ୍ରହଣାକାଂକ୍ଷୀ ହୋଇଅଛୁଁ, ଆମ୍ଭର କେଡ଼େ ଦୁରାକାଂକ୍ଷା, କେଡ଼େ ମୂଢ଼ତା! ବାମନ ହୋଇ ଚନ୍ଦ୍ରମା ଧରିବାର ଇଚ୍ଛା !’’

 

ଆମ୍ଭର ଏହି କାତରୋକ୍ତିରେ କୋମଳସ୍ୱଭାବା ଲରାର ନୟନରୁ ପ୍ରବଳବେଗରେ ଲୋତକ ଝରିଲା । ମାତ୍ର ଆମ୍ଭେ ଯେ କିରୂପେ ତାଙ୍କର ଅଯୋଗ୍ୟ, ସେ ତାହା ବୁଝିନଥିଲେ । କିରୂପେ ଅବା ବୁଝିପାରିବେ ? ମଠରେ ଶିକ୍ଷିତା, ସଂସାରର ଗତିବିଧି ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞା ଥିଲେ । ଅଭାବଜନିତ କଷ୍ଟ କେବେହେଁ ଅନୁଭବ କରିନଥିଲେ । ପ୍ରଣୟ ଯେତେବେଳ ହୃଦୟକୁ ବଶୀଭୂତ କରେ, ସେ ସମୟରେ ଆନ ବିଷୟମାନଙ୍କ ପ୍ରତି ଦୃଷ୍ଟି ନଥାଏ । ଲରାର ବିବେଚନାରେ ଆମ୍ଭ ପରି ପୁରୁଷ ମହୀରେ ଅନ୍ୟ କେହି ନଥିଲା । ଆମ୍ଭେ ପୂର୍ବରେ ତାଙ୍କୁ ଅନେକ ଉପନ୍ୟାସ ଶୁଣାଇଥିଲୁଁ । ଆମ୍ଭଠାରୁ ସେ ଅନେକ ବୀରପୁରୁଷ, ରାଜା ଏବଂ ବିଦ୍ୱାନ୍‌ମାନଙ୍କର ଇତିହାସ ଶୁଣିଥିଲେ । କେବେ ହର୍ଷରେ ଅଧୀର ହୋଇ ସେମାନଙ୍କ ସହିତ ଆମ୍ଭର ତୁଳନା କରୁଥିଲେ । ପ୍ରେମରେ ଉନ୍ମତ୍ତ ହୋଇ ମନ୍ଦ ଗୁଣମାନଙ୍କର ସୁଦ୍ଧା ପ୍ରଶଂସା କରୁଥିଲେ । ଆମ୍ଭକୁ ସବୁ ସଦ୍‌ଗୁଣର ଆଧାର କରି ଜାଣିଥିଲେ । ସେ କହୁଥିଲେ ଯେ ଆମ୍ଭ ପରି ରସିକ, ରୂପବାନ୍‌, ବୁଦ୍ଧିବାନ୍ ପୁରୁଷ ମହୀରେ ଦୁର୍ଲ୍ଲଭ । ତାଙ୍କର ଆମ୍ଭଠାରେ ଏପରି ପ୍ରେମ ଦେଖି ଆମ୍ଭେ କେବେ କେବେ ଆପଣା ଦୁଃଖ ବିସ୍ମୃତ ହେଉଥିଲୁଁ ।

 

ଆମ୍ଭ ଇତିହାସରେ ଏହି ଅଂଶ ବିସ୍ତାରିତ ରୂପେ କହିଲୁଁ । ଆମ୍ଭେ ସେହି ସମୟରେ ନିର୍ଦ୍ଦୋଷ ଥିଲୁଁ । ନିର୍ଦ୍ଦୋଷ ମନୁଷ୍ୟ ସ୍ୱଭାବତଃ ସୁଖୀ ହୁଅଇ । ଆମ୍ଭେ ଦୁଇ ପ୍ରକାର ସୁଖର ଭୋଗ କରୁଥିଲୁଁ । ପ୍ରଥମତଃ ନିର୍ଦ୍ଦୋଷଜନିତ ସୁଖ, ଦ୍ୱିତୀୟତଃ ଲରାର ସହବାସୁଖ । ଏପରି ସୁଖ ସମୟ ବାହୁଲ୍ୟରୂପେ ବର୍ଣ୍ଣନା ନ କରି ଆଉ କେଉଁ ସମୟର ବାହୁଲ୍ୟ ବର୍ଣ୍ଣନା କରିବୁଁ ? ଆମ୍ଭର ଏହି ବିସ୍ତାରିତ ବର୍ଣ୍ଣନାରେ ବିରକ୍ତ ହେବ ନାହିଁ; ଆମ୍ଭ ଅବସ୍ଥାରେ ପଡ଼ିଲେ ତୁମ୍ଭେ ସୁଦ୍ଧା ଏହିପରି ବିସ୍ତାରିତ ବର୍ଣ୍ଣନା କରିଥାନ୍ତେ । ସେ ଯାହାହେଉ ଏବେ ଆନ ବିଷୟ ଶୁଣ ।

 

ଏହି ସମୟରେ ଆମ୍ଭ ଜ୍ୟୈଷ୍ଠଙ୍କର ମୃତ୍ୟୁ ହେଲା । ଆମ୍ଭେ କୌଣସି ସାପ୍ତାହିକ ପତ୍ରିକାରୁ ଏହି ସମ୍ବାଦ ପ୍ରାପ୍ତ ହେଲୁଁ। ସେହି ବିଜ୍ଞାପନ ଲେଖାହୋଇଥିଲା ।

Image

 

ବିଜ୍ଞାପନ

 

‘‘ଆମ୍ଭର ଜ୍ୟୈଷ୍ଠପୁତ୍ରର ମୃତ୍ୟୁ ହେବାରୁ ଶୋକରେ ଅଧୀର ହୋଇଅଛୁଁ । ଏତେବେଳେ ଆମକୁ ସାନ୍ତ୍ୱନା ଦେବ, ଏପରି କେହି ନାହିଁ । କନିଷ୍ଠ ପୁତ୍ରର ଅନୁର୍ଦ୍ଦେଶ ହେତୁରୁ ଆମ୍ଭର ଦୁଃଖ ଦୁଇଗୁଣ ହୋଇଅଛି । ଯେବେ କୌଣସି ମହୋଦୟ ଆମ୍ଭ ପ୍ରତି ସଦୟ ହୋଇ ଆମ୍ଭର ସେହି କନିଷ୍ଠ ପୁତ୍ରର ତତ୍ତ୍ୱ କରନ୍ତି, ତେବେ ଆମ୍ଭ ତାଙ୍କଠାରେ ଚିରଜୀବନ କୃତଜ୍ଞ ରହିବୁଁ । ଯେବେ ଏହି ବିଜ୍ଞାପନ ସେହି ପୁତ୍ରର ନୟନରେ ପଡ଼େ ଏବଂ ତାହାଠାରେ ଯେବେ ପିତୃସ୍ନେହ ଥାଏ, ତେବେ ତାହାକୁ ଆମ୍ଭେ ଏହି ଆଦେଶ କରୁଅଛୁଁ ଯେ, ସେ ବିଜ୍ଞାପନ ପଢ଼ିଲାମାତ୍ରକେ ଗୃହକୁ ପ୍ରତ୍ୟାଗମନ କରିବା ନିମ୍ନେ ସଯତ୍ନ ହେବ ।’’

 

ଆମ୍ଭେ ଏହି ବିଜ୍ଞାପନ ପଢ଼ି ଭ୍ରାତୃଶୋକରେ ଆକୁଳ ହେଲୁଁ । ଆମ୍ଭ ପିତା ଆମ୍ଭ ପ୍ରତି ଅତ୍ୟନ୍ତ ନିଷ୍ଠୁର ଆଚରଣ କରିଥିଲେ, କିନ୍ତୁ ତାଙ୍କୁ ପୁତ୍ରଶୋକରେ ଅଭିଭୂତ ହେବାର ପାଠ କରି ଆମ୍ଭେ ତାହା ପାସୋରିଲୁଁ । ପିତୃସ୍ନେହର ବଶୀଭୂତ ହୋଇ ଘରକୁ ଯିବା ନିମନ୍ତେ ଉତ୍କଣ୍ଠିତ ହେଲୁଁ । ପୁଣି ଆମ୍ଭର ବିଷାଦରେ ହର୍ଷ ଉପସ୍ଥିତ ହେଲା ଯେତେବେଳେ ଭାଳିଲୁଁ ଯେ ଆମ୍ଭର ଦରିଦ୍ରାବସ୍ଥା ସମ୍ପୂର୍ଣ୍ଣ ଘୁଞ୍ଚିଯିବ, ସେତେବେଳେ ଆନନ୍ଦର ସୀମା ନ ରହିଲା। ଅର୍ଥ, ଖ୍ୟାତି, ପଦବୀର ପୁନଃପ୍ରାପ୍ତିର ଆଶା ସଙ୍ଗେ ଅନ୍ୟ ଆଶା ସଞ୍ଚରିଲା । ତେତେବେଳେ ଆଉ ଆପଣାକୁ ଲରାର ଅଯୋଗ୍ୟ ମଣିଲୁଁ ନାହିଁ । ସେହିକ୍ଷଣି ଲରା ନିକଟକୁ ଯାଇଁ କହିଲୁଁ, ‘‘ଲରା ! ପ୍ରଭୁଙ୍କ କୃପାରୁ ଏବେ ଆମ୍ଭ ମନୋରଥ ସିଦ୍ଧ ହୋଇ ପାରିବ। ଆମ୍ଭର ଆଉ ସେ ଅବସ୍ଥା ନାହିଁ; ଆଉ ଏବେ ଆମ୍ଭକୁ କେହି ଅନାଥ, ଅପରିଚିତ, ନିର୍ଦ୍ଧନ ବୋଲି ପାରିବେ ନାହିଁ । ଏହି ଦେଖ, ଏଥିରେ ଯାହା ଲେଖାହୋଇଅଛି, ତାହା ପଢ଼ିଲେ ବୁଝିପାରିବ ।’’

 

ଲରାର ତାତ୍‌କାଳିକ ମନୋଭାବ କିପରି ହୋଇଥିବ, ପାଠକ ବିବେଚନା କରନ୍ତୁ । ଆମ୍ଭର ଅବସ୍ଥା ପରିବର୍ତ୍ତନର କଥା ଶୁଣି ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ତାଙ୍କର ଏହି ଦୃଢ଼ ବିଶ୍ୱାସ ଥିଲା ଯେ କୌଣସି ଉପାୟରେ ହେଉ, ଆମ୍ଭେ ଅବଶ୍ୟ ଧନବାନ୍ ଏବଂ ବିଖ୍ୟାତ ହେବୁଁ, ସୁତରାଂ ଏହି ସମ୍ବାଦ ତାଙ୍କୁ ବିସ୍ମୟ ବୋଧ ହେଲା ନାହିଁ । ଏହି ଘଟନାରେ ଆମ୍ଭର ମନୋଦୁଃଖର ହ୍ରାସ ହେବ, ଏହା ଭାଳି ସେ ଆହ୍ଲାଦିତ ହେଲେ । ଉଲ୍ଲାସରେ ଆମ୍ଭ ଛାତି ଫୁଲିଗଲା-। ଆଉ ଅଧୋବଦନରେ ଚାଲିଲୁଁ ନାହିଁ । ସୌଭାଗ୍ୟଗର୍ବରେ ସର୍ବଦା ଉନ୍ନତମୁଖ ହୋଇ ଚାଲିଲୁଁ। ମୁଖ ହର୍ଷପ୍ରଫୁଲ୍ଲ ହେଲା । ପୂର୍ବ ଦୁ।କଯାକ ମୁହୂର୍ତ୍ତ ମଧ୍ୟରେ ପାସୋରିଲୁଁ ।

 

ଉପସ୍ଥିତ ସୌଭାଗ୍ୟ କଥା ଆମ୍ଭ ପ୍ରଭୁଙ୍କୁ ଜଣାଇବା ନିମନ୍ତେ ଆମ୍ଭର ଏକାନ୍ତ ବାସନା ହେଲା । ନିଜ ପରିଚୟ ପ୍ରଦାନ କରି ଲରାର ପାଣିଗ୍ରହଣର ଅଭିଳାଷ ତାଙ୍କଠାରେ ପ୍ରକାଶ କରନ୍ତୁ; ମାତ୍ର ସେ ସେହି ସମୟରେ ସ୍ଥାନାନ୍ତରେ ଅବସ୍ଥାନ କରୁଥିଲେ । ତେଣୁ ଫିଲିପଙ୍କଠାରେ ସବୁକଥା ବ୍ୟକ୍ତ କଲୁଁ । ଯେରୂପରେ ପ୍ରଥମେ ଆମ୍ଭ ଅନ୍ତଃକରଣରେ ପ୍ରଣୟରସର ସଞ୍ଚାର ହୋଇଥିଲା, ଯେଉଁ ଯେଉଁ କାରଣରୁ ଆମ୍ଭେ ହତାଶ ହୋଇଥିଲୁଁ, ପୁଣି ଯେଉଁ ଆକସ୍ମିକ ସମ୍ବାଦଦ୍ୱାରା ଆମ୍ଭ ମନରେ ଭାବୀ ସୁଖ-ଆଶା ସଞ୍ଚରିଲା, ଆମ୍ଭେ ମୁକ୍ତକଣ୍ଠରେ ତାଙ୍କଠାରେ ସମସ୍ତ କହିଲୁଁ । ଫିଲିପ ଯତ୍ପରୋନାସ୍ତି ଆହ୍ଲାଦିତ ହେଲେ ଏବଂ ଯୋଗ୍ୟ ପାତ୍ରରେ ଆମ୍ଭ ପ୍ରଣୟ ନ୍ୟସ୍ତ ହୋଇଅଛି ବୋଲି ଥରକୁଥର ଆମ୍ଭର ପ୍ରଶଂସା କଲେ । ତାଙ୍କର ଭଦ୍ରତା ଦେଖି ଆମ୍ଭ ପ୍ରଣୟ ନ୍ୟସ୍ତ ହୋଇଅଛି ବୋଲି ଥରକୁଥର ଆମ୍ଭର ପ୍ରଶଂସା କଲେ । ତାଙ୍କର ଭଦ୍ରତା ଦେଖି ଆମ୍ଭେ ହର୍ଷପୂର୍ଣ୍ଣ ମନରେ ତାଙ୍କୁ ଆଲିଙ୍ଗନ କଲୁଁ । ତାଙ୍କଠାରେ ଆମ୍ଭର ଯେ ପୂର୍ବରେ ଅବିଶ୍ୱାସ ହୋଇଥିଲା, ତାହା ଦୂର ହେଲା ଏବଂ ତାଙ୍କର ବନ୍ଧୁତାକୁ ଯେ କୃତ୍ରିମ ବୋଲି ଜାଣିଥିଲୁଁ, ସେଥି ନିମନ୍ତେ ତାଙ୍କଠାରେ କ୍ଷମା ମାଗିଲୁଁ ।

 

ଯୁବାମାନଙ୍କ ମଧ୍ୟରେ ଅକୃତ୍ରିମ ପ୍ରଣୟ ହେଲେ ସେମାନେ ପରସ୍ପରର ଉପକାର ସାଧନ ନିମନ୍ତେ ଅତ୍ୟନ୍ତ ଯତ୍ନବାନ୍ ହୁଅନ୍ତି । ଫିଲିପ ଅତ୍ୟନ୍ତ ଆଗ୍ରହ ସହିତ ଆମ୍ଭ ବିଷୟରେ ପ୍ରବୃତ୍ତ ହେଲେ । ଆମ୍ଭେ ତାଙ୍କୁ ଅକପଟରେ ସବୁ କଥା ଜଣାଇଲୁଁ ଏବଂ ତାଙ୍କଠାରୁ ସତ୍ପରାମର୍ଶ ନେଲୁଁ । ଚଞ୍ଚଳ ନେପ୍‌ଲସ୍‌ ନଗରକୁ ନେଉଟି ଯାଇ ପିତାଙ୍କ ସ୍ନେହଭାଜନ ହେବା ନିମନ୍ତେ ଫିଲିପ ଉପଦେଶ ଦେଲେ । ତଦନ୍ତର ଜନକଙ୍କର ଅନୁମତି ନେଇ ଗୃହରୁ ପୁଣି ଲରାକୁ ବିବାହ କରିବୁଁ । ଫିଲିପ କହିଲେ ଯେ ତାଙ୍କ ପିତାଙ୍କଠାରୁ ଏହି ବିଷୟ ସମ୍ମତ କରାଇବା ନିମନ୍ତେ ସେ ସାଧ୍ୟମତେ ଯତ୍ନ କରିବେ ଏବଂ ଆମ୍ଭର ଯେରୂପେ ମଙ୍ଗଳ ହେବ ସେଥିରେ କଦାଚ ଅବହେଳା ନକରିବେ । ଆମ୍ଭେ ତାଙ୍କର ଏହି ଆଶ୍ୱାସ ବାକ୍ୟରେ ଆପ୍ୟାୟିତ ହେଲୁଁ ।

 

ଅବଶେଷରେ ମେଲାଣି ନେବା ନିମନ୍ତେ ଲରା ନିକଟକୁ ଗଲୁଁ । ସେହି ମେଲାଣି ବେଳ ମନରେ ପଡ଼ିଲେ ଆମ୍ଭର ଦୁଃଖସାଗର ଉଦ୍‌ବେଳ ହୁଅଇ । ଉଦ୍ୟାନ ମଧ୍ୟରେ ଗୋଟିଏ ପଟଗୃହ ଥିଲା; ଲରା ସେଠାରେ ବସି ପୁସ୍ତକାଦି ପଢ଼ୁଥାନ୍ତି । ଆମ୍ଭର ଗୃହଗମନ ସମୟରେ ସେ ସେହି ପଟଗୃହରେ ଥିଲେ, ଆମ୍ଭେ ସେଠାକୁ ଯାଇ ମେଲାଣି ମାଗିଲୁଁ । ଲରା ଅଶ୍ରୁପୂର୍ଣ୍ଣନୟନା ହୋଇ ଆମ୍ଭକୁ ଗମନାନୁମତି ଦେଲେ । ଅକୃତ୍ରିମ ପ୍ରେମର କେମନ୍ତ ଅନିର୍ବଚନୀୟ ପ୍ରଭାବ ! କିଛି ଦୂର ଗମନ କରି ଆମ୍ଭେ ପୁଣି ଫେରି ଲରା ନିକଟକୁ ଗଲୁଁ । ତାହାକୁ ଚକ୍ଷୁଜଳରେ ଅଭିଷିକ୍ତ ଦେଖି ନୟନକୁ ପରିତୃପ୍ତ କଲୁଁ । ସେହି ପ୍ରବାଳଲୋହିତ ସୁକୋମଳ କରପଲ୍ଲବ ସ୍ପର୍ଶ ଏବଂ ଚୁମ୍ବନ କଲୁଁ। ଆହା ! ପ୍ରଣୀୟମାନଙ୍କର ମେଲାଣି ବେଳେ ଯେଉଁ ମନୋବେଦନା ହୁଏ, ସେହି ମେନାବେଦନାରେ ସୁଦ୍ଧା ଏକ ଅନିର୍ବଚନୀୟ ରସ ଅଛି, ସେ ରସର ତୁଳନାରେ ଅମୃତ ସୁଦ୍ଧା ତୁଚ୍ଛ ବୋଧ ହୁଅଇ । ଆଜିଯାଏ ସେହି ସ୍ଥାନ ଆମ୍ଭ ହୃଦୟପଟରେ ଅଙ୍କିତ ଅଛି । ସେହି ପୃଷ୍ଠତରୁ ବେଷ୍ଟିତ ସୁରମ୍ୟ ପଟଗୃହ, ସେହି ରମଣୀୟ ଉଜ୍ଜ୍ୱଳ ମୁଖଚନ୍ଦମା, ସେହି ଅଶ୍ରୁପୂର୍ଣ୍ଣ ନୟନଯୁଗଳ, ସେହି ସ୍ନିଗ୍‌ଧ ଅବଲୋକନ ଏପର୍ଯ୍ୟନ୍ତ ଆମ୍ଭମନରେ ଜାଗରୂକ ଅଛି ।

 

ଅନନ୍ତର ଆମ୍ଭେ ଅପରାହ୍ନ ଚାରି ଘଟିକା ସମୟରେ ଜାହାଜରେ ଚଢ଼ିଲୁଁ । କ୍ରମେ କ୍ରମେ ଦୂରବର୍ତ୍ତୀ ହେବାକୁ ଲାଗିଲୁ । ଗମନ ସମୟରେ ଆମ୍ଭର ନୟନଦ୍ୱୟ ସେହି ଉପବନସ୍ଥ ପଟଗୃହ ଆଡ଼କୁ ଧାଇଁଲା । ଥରକୁଥର ଆଗ୍ରହ ସହିତ ସ୍ଥିର ଦୃଷ୍ଟିରେ ତାହାକୁ ଦେଖିବାକୁ ଲାଗିଲୁଁ । ଦୂରତାବଶତଃ ସେହି ପଟଗୃହ କ୍ରମଶଃ କ୍ଷୁଦ୍ର ଦିଶିଲା ଏବଂ ଶେଷକୁ ଗୋଟାଏ ଶଙ୍ଖ ପ୍ରାୟ ବୋଧ ହେଲା । କିଛିକାଳ ପରେ ସୂର୍ଯ୍ୟ ଅସ୍ତୋନ୍ମୁଖ ହେବାରୁ ସାଗରର ଜଳ ରକ୍ତବର୍ଣ୍ଣ ହେଲା । ତରଙ୍ଗମାଳା ଦେଖି ବୋଧ ହେଲା, ଯେମନ୍ତ ପଦ୍ମରାଗମଣିଘଟିତ ଚଞ୍ଚଳ ଗିରିମାନେ ଏକତ୍ରିତ ହୋଇ କୋଳାହଳ କରୁଅଛନ୍ତି । ଅନନ୍ତର ରଜନୀ କଳାବସ୍ତ୍ର ପିନ୍ଧି ଆସିଲେ, ଗଗନରେ ତାରା ଫୁଟିଲା; ମାତ୍ର ଆମ୍ଭେ ପ୍ରାକୃତିକ ଶୋଭା ଦେଖିବାର ରତ ନ ହୋଇ ସେହି ଉପବନ ଦିଗକୁ ଥରକୁଥର ଅନାଇଲୁଁ । ଶେଷକୁ ତାହା ଆମ୍ଭର ଦୃଷ୍ଟି ପଥାତୀତ ହେଲା ।

 

ନେପ୍‌ଲସ୍‌ରେ ପହଞ୍ଚି ସତ୍ୱର ହୋଇ ପିତୃ-ଗୃହମୁଖରେ ଗମନ କଲୁଁ। ପିତାଙ୍କ ଅନୁଗ୍ରହରୁ ଏତେକାଳ ବଞ୍ଚିତ ହୋଇଥିଲୁଁ । ଏତେକାଳ ବଞ୍ଚିତ ହୋଇଥିଲୁଁ। ଏବେ ସେହି ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ଅତୀବ ବ୍ୟଗ୍ର ହୋଇ ଗୃହର ନିକଟବର୍ତ୍ତୀ ହେଲୁଁ । ଆମ୍ଭକୁ କେହି ଚିହ୍ନି ପାରିଲେ ନାହିଁ ଏବଂ ପିତାଙ୍କର ଭୃତ୍ୟମାନେ ବିସ୍ମୟପୂର୍ଣ୍ଣ ଲୋଚନରେ ଆମ୍ଭକୁ ଅନାଇ ରହିଲା । ମଠରୁ ପ୍ରସ୍ଥାନ କରିବା ସମୟରେ ଆମ୍ଭେ ଅଳ୍ପବୟସ୍କ ଥିଲୁଁ । ଏବେ ଆମ୍ଭର ଆକାର ପୁଣି ଶିକ୍ଷାଦି ବିଷୟରେ ଅନେକ ପରିବର୍ତ୍ତନ ହୋଇଥିଲା । ଆମ୍ଭେ ଯେ ସେହି ଗୃହର ଭାବୀ ପ୍ରଭୁ ହେବୁଁ, ଭୃତ୍ୟମାନେ ଏହା ଜାଣିନଥିଲେ, ଆମ୍ଭକୁ ଜଣେ ବିଦେଶୀ ବୋଲି ଜାଣିଥିଲେ । ଆମ୍ଭେ ସେଠାରେ ଉପସ୍ଥିତ ହୋଇ ଅଶ୍ରୁବେଗ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କାନ୍ଦିଲୁ । ସେମାନେ ଦେଖି ବିସ୍ମୟାପନ୍ନ ହେଲା, ମାତ୍ର ଯେତେବେଳେ ଆମ୍ଭେ ପରିଚୟ ଦେଲୁଁ, ସେମାନେ ଆଦର ସହିତ ଆମ୍ଭକୁ ଘର ଭିତରକୁ ଘେନିଗଲେ । ସେମାନଙ୍କ ମଧ୍ୟରୁ ଜଣେ ଆଗେ ଯାଇ ଆମ୍ଭର ଆଗମନବାର୍ତ୍ତା ପିତାଙ୍କଠାରେ ଜଣାଣ କଲା । ପିତା ଆମ୍ଭର ପ୍ରତ୍ୟୁଦ୍‌ଗମନ ନିମନ୍ତେ ସୁସଜ୍ଜ ହେଉଛନ୍ତି, ଏମନ୍ତ ସମୟରେ ଆମ୍ଭେ ତାହାଙ୍କ ନିକଟରେ ଉପସ୍ଥିତ ହେଲୁଁ । ଯାହାଙ୍କୁ ଆମ୍ଭେ ପୂର୍ବରେ ହୃଷ୍ଟପୁଷ୍ଟ ଦେଖିଥିଲୁଁ, ଯାହାଙ୍କ କୁପିତ ବଦନ ଦେଖି ଆମ୍ଭେ ଭୟରେ ମୃତ ପ୍ରାୟ ହେଉଥିଲୁଁ, ସେହି ପିତାଙ୍କୁ ଏତେବେଳେ ଜରାଯୁକ୍ତ, ଶୀର୍ଣ୍ଣଶରୀର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଦୁରନ୍ତ ପକ୍ଷାଘାତ ରୋଗ ଅଙ୍ଗମାନଙ୍କୁ ଅବଶ କରିଥିଲା, ଶରୀର ବିବର୍ଣ୍ଣ ହୋଇଥିଲା । ଯେତେବେଳେ ଆମ୍ଭେ ତାହାଙ୍କ ନିକଟସ୍ଥ ହେଲୁଁ, ସେ ଗୋଟାଏ କାଷ୍ଠାସନରେ ବସିଥିଲେ । ଶାରିରୀକ ସୌନ୍ଦର୍ଯ୍ୟଲୋପର ସହିତ ତାହାଙ୍କର ମାନସିକ ବୃତ୍ତିମାନଙ୍କର ସୁଦ୍ଧା ବହୁପରିମାଣରେ ବୈଲକ୍ଷଣ୍ୟ ହୋଇଥିଲା । ସେହି ଆଗେ ଆସିଥିବା ଭୃତ୍ୟ ଆମ୍ଭ ବୃତ୍ତାନ୍ତ ତାହାଙ୍କୁ ଅବଗତ କରାଉଥିଲା । ଏମନ୍ତ ସମୟରେ ଆମ୍ଭେ ତାହାଙ୍କ ପାଦତଳେ ପଡ଼ିଲୁଁ । ତାହାଙ୍କର ପୂର୍ବ ନିଷ୍ଠୁର ଅନୁଚିତ ବ୍ୟବହାର ଆମ୍ଭ ହୃଦୟରୁ ଅନ୍ତର୍ହିତ ହେଲା । ସେ ଆମ୍ଭର ପୂଜନୀୟ ପିତା, ମମ୍ଭେ ତାହାଙ୍କଠାରେ ଅପରାଧୀ ହୋଇଅଛୁଁ, ସେତେବେଳେ କେବଳ ଏହି ଭାବ ଆମ୍ଭ ମନରେ ଉଦିତ ହେଲା। ବ୍ୟଗ୍ରଭାବରେ ତାହାଙ୍କ ଗୋଡ଼ ଧରି କାନ୍ଦିଲୁଁ, ‘‘ପିତଃ ! କ୍ଷମା କରନ୍ତୁ, ଆମ୍ଭର ଦୋଷ ହୋଇଅଛି ।’’ ବାରମ୍ବାର ଏହି କାତରୋକ୍ତି କଲୁଁ । ପିତା ଆମ୍ଭକୁ ସତୃଷ୍ଣନୟନରେ ଚାହିଁଲେ, କମ୍ପାନ୍ୱିତ ବିସ୍ତାର କଲେ ଏବଂ ବାଳକ ପ୍ରାୟ କାନ୍ଦିବାକୁ ଲାଗିଲେ ।

 

ସେହି ସମୟାବଧି ସେ ଆମ୍ଭକୁ ମୁହୂର୍ତ୍ତକ ନିମନ୍ତେ ସୁଦ୍ଧା ଆଖିରୁ ଅନନ୍ତ କରିଦେଲେ ନାହିଁ । ତାହାଙ୍କ ଜାଣିବାରେ ମହୀରେ ଆମ୍ଭ ବ୍ୟତୀତ ଆଉ ତାଙ୍କର କିଛି ପ୍ରୀତିକର ନଥିଲା । ଆଉ ସବୁ ତାହାଙ୍କୁ ଶୂନ୍ୟବତ୍ ବୋଧହେଲା । ସେ ବାକ୍‌ଶକ୍ତିବର୍ଜିତ ହୋଇଥିଲେ, ପୁଣି ତାହାଙ୍କ ବୁଦ୍ଧି ଲୁପ୍ତ ପ୍ରାୟ ହୋଇଥିଲା । ସର୍ବଦା ମୌନୀ ହୋଇଥିଲେ ଏବଂ କେବେ କେବେ ବିନା କାରଣରେ ରୋଦନ କରୁଥିଲେ । ଆମ୍ଭେ ଯେବେ କୌଣସି ସମୟରେ ଗୃହରୁ ବହିର୍ଗତ ହେଉଥିଲୁଁ, ସେ ଦ୍ୱାର ଆଡ଼କୁ ସ୍ଥିର ଚାହିଁ ଆମ୍ଭର ଫେରିଆସିବାର ପ୍ରତୀକ୍ଷା କରୁଥିଲେ । ଆମ୍ଭେ ଯେତେବେଳେ ପୁନଃପ୍ରବିଷ୍ଟ ହେଉଥିଲୁଁ, ଆମ୍ଭକୁ ଦେଖି ନୟନଜଳରେ ନିଜ ମୁଖ ଅଭିଷିକ୍ତ କରୁଥିଲେ ।

 

ଏମନ୍ତ ଅବସ୍ଥାରେ ତାଙ୍କଠାରେ ଆମ୍ଭର ମନୋଗତ ପରିଣୟବୃତ୍ତାନ୍ତ କହିବା ଅଯୁକ୍ତ ବୋଧ ହେଲା । ତାହାଙ୍କଠାରୁ ମୁହୂର୍ତ୍ତ ନିମନ୍ତେ ଅନ୍ତର୍ହିତ ହେବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ମଣିଲୁଁ; ସୁତରାଂ ଆମ୍ଭେ କ’ଣ କରିବୁଁ, କିଛି ହିଁ ସ୍ଥିର କରି ପାରିଲୁଁ ନାହିଁ । ଲରାର ଚିନ୍ତା ଆମ୍ଭକୁ ଅଧୀର କଲା । ଆମ୍ଭର ନେପ୍‌ଲସ୍‌କୁ ପ୍ରତ୍ୟାଗମନ, ପିତାଙ୍କର ଶରୀରାବସ୍ଥା, ଲରାର ବିରହଜନିତ ବ୍ୟାକୁଳତା, ଏହି ସମସ୍ତ ବିଷୟରେ ଲରାକୁ ଖଣ୍ଡିଏ ସୁଦୀର୍ଘ ଲିପି ଲେଖିଲୁଁ । ସମସ୍ତେ ଏହା ମୁକ୍ତକଣ୍ଠରେ ସ୍ୱୀକାର କରିବେ ଯେ ମୁହୂର୍ତ୍ତକାଳ ପ୍ରିୟତମାବିଚ୍ଛେଦ ତରୁଣ ପ୍ରଣୟୀକୁ ଯୁଗସହସ୍ର ପ୍ରାୟ ବୋଧହୁଅଇ । ଫିଲିପଙ୍କୁ ଅନ୍ୟ ଏକ ପତ୍ର ଲେଖି ଲରାର ପତ୍ରକୁ ସେଥିରେ ଗର୍ଭସ୍ଥ କରି ପଠାଇଲୁଁ । ଫିଲିପ ଆମ୍ଭର ଅତି ପ୍ରୀତିଭାଜନ ଥିଲେ । ସୁତରାଂ ତାହାଙ୍କୁ ଜଣାଇ ସମସ୍ତ କାର୍ଯ୍ୟ କରୁଥିଲୁ । ଫିଲିପ ଆମ୍ଭ ପ୍ରତ୍ୟୁତ୍ତର ପଠାଇଲେ, ସେହି ପତ୍ରର ପ୍ରତ୍ୟୁତ୍ତର ପଠାଇଲେ, ସେହି ପତ୍ରରେ ବନ୍ଧୁତା ପୁଣି ବିଶ୍ୱସ୍ତତାର ଅନେକ ପ୍ରମାଣ ପାଇଲୁଁ । ଲରାଠାରୁ ସୁଦ୍ଧା ଖଣ୍ଡେ ଅଟଳ ପ୍ରଣୟସୂଚକ ପ୍ରତ୍ୟୁତ୍ତର ପ୍ରାପ୍ତ ହେଲୁଁ ।

 

ଏହି ପ୍ରକାର କେତେ ଦିନ, କେତେ ସପ୍ତାହ, କେତେ ମାସ ଗଲା । ଅନନ୍ତର ପିଲାଙ୍କ ପୀଡ଼ା ଉତ୍ତରୋତ୍ତର ବଢ଼ିଲା, କ୍ରମଶଃ ଶରୀର କ୍ଷୀଣ ହେଲା । ଆମ୍ଭେ ଭକ୍ତି ଏବଂ ଯତ୍ନ ସହିତ ତାହାଙ୍କ ଶୁଶ୍ରୁଷା କରିବାକୁ ଲାଗିଲୁଁ । ପିତୃଭକ୍ତି ଆମ୍ଭର ଅନ୍ୟାନ୍ୟ ମାନସିକ ଭାବମାନଙ୍କୁ ବଶୀଭୂତ କଲା । କିରୂପେ ପିତା ସୁସ୍ଥ ହେବେ, କିରୂପେ ରୋଗରୁ ମୁକ୍ତ ହେବେ, ଏହି ଚିନ୍ତାରେ ଆମ୍ଭେ ସର୍ବଦା ଚିନ୍ତାନ୍ୱିତ ଥିଲୁଁ । ପୂର୍ବରେ ଆମ୍ଭେ ଯେମନ୍ତ ଅବାଧ୍ୟ ଥିଲୁଁ, ଏବେ ତେମନ୍ତ ଆଜ୍ଞାକାରୀ ହେଲୁଁ । ବୃଦ୍ଧାବସ୍ଥାରେ ଆମ୍ଭେ ତାହାଙ୍କ କାର୍ଯ୍ୟରେ ଆସିଲୁଁ, ଏହି ବିବେଚନାରେ ଆମ୍ଭର ମନ ପୁଲକିତ ହେଉଥିଲା ।

 

ଏଣୁ ଲରାର ବିରହାନଳରେ ଆମ୍ଭର ଅନ୍ତର୍ଦାହ ହେଲା । ପୁଣି ସର୍ବଦା ତଦ୍‌ଗତମନରେ ଲରାର ଚିନ୍ତା କରି ଆମ୍ଭେ ସେହି ବିରହାଗ୍ନିରେ ଇନ୍ଧନ ପ୍ରଦାନ କଲୁଁ । ନେପ୍‌ଲସ୍‌ରେ କାହାରି ସହିତ ଆଳାପ ଅଥବା ପରିଚୟ କରି ନ ଥିଲୁଁ । ଆମ୍ଭର ଧନର ଅଭାବ ନଥିଲା; କିନ୍ତୁ ଧନ ଥିଲେହେଁ ଆମୋଦ ପ୍ରମୋଦରେ ତିତିକ୍ଷା ହେଲା । ଦୁଇ ବିଷୟରେ ଆମ୍ଭ ମନ ଦୃଢ଼ରୂପେ ଆବଦ୍ଧ ରହିଲା-ଜନକଙ୍କର ସେବା, ଲରାର ଭାବନ। ଆମ୍ଭେ ପିତାଙ୍କ ନିକଟରେ ସତତ ଉପବିଷ୍ଟ ହୋଇ ତାହାଙ୍କୁ ଔଷଧାଦି ଦେଉଥାଉଁ ଏବଂ ଲରାର ଚିନ୍ତା କରୁଥାଉଁ। କେବେ କେବେ ତୂଳିକା ଘେନି ସେହି ମନୋମୋହିନୀର ଚିତ୍ର ପ୍ରସ୍ତୁତ କରୁଥାଉଁ । ଆମ୍ଭଠାରେ ଆଦର୍ଶ ଚିତ୍ର ନ ଥିଲା; କିନ୍ତୁ ହୃଦୟପଟରେ ଲରା ଅଙ୍କିତ ହୋଇଥିଲେ; ସୁତରାଂ ଲରାର ଚିତ୍ରପଟ ଅନାୟାସରେ ପ୍ରସ୍ତୁତ କଲୁଁ । ଏହି ସମୟରେ ଆମ୍ଭେ ଲରାଠାରୁ ଦ୍ୱିତୀୟ ଲିପି ପ୍ରାପ୍ତ ହୋଇ ଅତିଶୟ ଆହ୍ଲାଦିତ ହେଲୁଁ । ସେହି ଅମୃତମୟ ପତ୍ରିକାକୁ ନିର୍ଜନରେ ଥରକୁଥର ପଢ଼ିଲୁଁ । ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ଅକ୍ଷର ଅବିଚଳିତ ପ୍ରେମ, ଅସାଧାରଣ ସହୃଦୟତା, ଅକଳଙ୍କିତ ରମଣୀୟତାର ପରିଚୟ ଦେଲା ଫିଲିପଙ୍କଠାରୁ ସୁଦ୍ଧା ଖଣ୍ଡିଏ ଅକୃତ୍ରିମ ପ୍ରଣୟଗର୍ଭ ପତ୍ର ପାଇଲୁଁ । ସେ ଉଭୟେ ଆମ୍ଭ ବିରହରେ ଅତି ବ୍ୟାକୁଳ ହୋଇଥିବାର ଲେଖିଥିଲେ ।

 

ଏହି ରୂପେ ସମ୍ବତ୍ସରଦ୍ୱୟ ଅତୀତ ହେଲା । ସେହି ଦୁଇ ବର୍ଷକାଳ ଆମ୍ଭକୁ ଦୁଇ ମନ୍ୱନ୍ତର ପ୍ରାୟ ବୋଧ ହେଲା । ଆମ୍ଭେ ଯେପରି ଗାଢ଼ ଅନୁରାଗୀ ଏବଂ ବ୍ୟଗ୍ରସ୍ୱଭାବ ଥିଲୁଁ, ଯେବେ ଆମ୍ଭଠାକୁ ଲରା ଏହିରୂପେ ପତ୍ର ନଲେଖିଥାନ୍ତେ, ତେବେ ଆମ୍ଭର ପ୍ରାଣଧାରଣ କରିବା ଦୁଃସାଧ୍ୟ ହୋଇଥାନ୍ତା । ସେହି ପତ୍ର ପୁନଃ ପୁନଃ ପଢ଼ି ହୃଦୟର ଉତ୍କଣ୍ଠା ବିନୋଦନ କରୁଥାଉଁ । ଅନନ୍ତର କାଳ-ପବନ ପିତାଙ୍କର ପ୍ରାଣ-ପ୍ରଦୀପକୁ ନିର୍ବାଣ କଲା । ଭବଦ୍ରାତା ଜଗଦୀଶ୍ୱରଙ୍କ ପବିତ୍ର ନାମ ସ୍ମରଣ କରି ପିତା ଜୀବନ ପରିତ୍ୟାଗ କଲେ । ତାହାଙ୍କୁ ଅଧିକ କାଳ ମୃତ୍ୟୁ-ଯାଚନା ଭୋଗ କରିବାକୁ ହେଲା ନାହିଁ । ସେ ମରିବା ସମୟରେ ଆମ୍ଭ ମସ୍ତକରେ ହସ୍ତ ବୁଲାଇ ଅସ୍ପଷ୍ଟ ସ୍ୱରରେ ଆମ୍ଭକୁ ଆଶୀର୍ବାଦ କଲେ ।

ଆମ୍ଭେ ଯଥାବିଧାନରେ ତାହାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କଲୁଁ । ପିତୃଦତ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଏପରି ସୁଶୃଙ୍ଖଳାବଦ୍ଧ କଲୁଁ ଯେ ଦୂର ଦେଶରେ ଥାଇ ସୁଦ୍ଧା ଅନାୟାସରେ ତତ୍ତ୍ୱାବଧାରଣ କରିବାକୁ ସମର୍ଥ ହେବୁଁ । ଅନନ୍ତର ହୃଷ୍ଟଚିତ୍ତ ହୋଇ ଅର୍ଣ୍ଣବପୋତାରୋହଣରେ ଜେନୋୟା ନଗରକୁ ଯାତ୍ରା କଲୁଁ ।

ଅନୁକୂଳ ବାୟୁ ହେବାରୁ ସୁଖରେ ଗମନ କଲୁଁ । ଦିନେ ପ୍ରଭାତକାଳରେ ଆମ୍ଭେ ପୋତର କୌଣସି ଉଚ୍ଚ ସ୍ଥାନରେ ବସି ଶୀତଳ ସାଗର ସମୀରଣ ସେବନ କରୁଅଛୁଁ, ଏମନ୍ତ ସମୟରେ ଆପିନାଇନ୍ ପର୍ବତର ସୁନୀଳ ଶିଖରାବଳୀ ଦିଗ୍‌ବଳୟ ଭେଦ କରି ଆମ୍ଭର ନୟନଗୋଚର ହେଲା । କ୍ରମେ କ୍ରମେ ଆମ୍ଭେ ଜେନୋୟାର ନିକଟବର୍ତ୍ତୀ ହେଲୁଁ । ସେ ସମୟରେ ଗ୍ରୀଷ୍ମଋତୁର ପ୍ରାଦୁର୍ଭାବ; ନଭୋମଣ୍ଡଳ ନିର୍ମଳ ହୋଇଥିଲା । ଯେତେବେଳ ସେହି ସମୁଦ୍ରତୀରସ୍ଥ ପଲ୍ଲୀଗ୍ରାମମାନ ଦୃଷ୍ଟିଗୋଚର ହେଲା, ସେହି ଉପବନ ନୟନପଥବର୍ତ୍ତୀ ହେଲା, ସେତେବେଳେ ଲୌହ ଯେମନ୍ତ ଅୟସ୍କାନ୍ତ ଅଭିମୁଖରେ ଧାବମାନ ହୁଏ, ଆମ୍ଭ ମନଃ ସେହିରୂପ ଲରାର ପଟଗୃହାଭିମୁଖରେ ଧାବମାନ ହେଲା । ଅନ୍ତଃକରଣ ଯେ କିପରି ବ୍ୟଗ୍ର ହେଉଥିଲା, ଯେବେ ପାଠକ, କେବେ ବିରହବେଦନା ଅନୁଭବ କରିଥିବେ, ତେବେ ଅବଶ୍ୟ ବୁଝିପାରିବ । ଦୂରବୀକ୍ଷଣଦ୍ୱାରା ଆମ୍ଭେ ସେହି ସ୍ଥାନର ପ୍ରତ୍ୟେକ ଅଂଶ ଦେଖିଲୁଁ । ସେହି ଉଦ୍ୟାନ, ସେହି ଗବାକ୍ଷମାଳା, ସେହି କୁସୁମତରୁ ଆମ୍ଭର ଦୃଷ୍ଟିଗୋଚର ହେଲା । ଯେତେ ନିକଟବର୍ତ୍ତୀ ହେଲୁଁ, ଆମ୍ଭର ଉତ୍କଣ୍ଠା ସେହି ପରିମାଣରେ ବଢ଼ିବାକୁ ଲାଗିଲା । ଅର୍ଣ୍ଣବପୋତ ମୃଦୁଗତିରେ ଯାଉଥିବାର ବୋଧ ହେଲା । କେବେ କେବେ ଇଚ୍ଛା ହେଲା, ପୋତଉପରୁ ଲମ୍ଫଦେଇ ସମୁଦ୍ର ଜଳରେ ପଡ଼ି ସନ୍ତରଣଦ୍ୱାରା ତୀର ଧରିବୁଁ ।

ସନ୍ଧ୍ୟା ସମୟ ଉପସ୍ଥିତ ହେଲା । ନିଶାନାଥ ତାରାମାନଙ୍କରେ ପରିବୃତ ହୋଇ ଗଗନରେ ଉଦିତ ହେଲେ । ଶ୍ୱେତ ସମୁଦ୍ର, ତିମିରବିହୀନା ରଜନୀ, ପ୍ରିୟତମାର ସମାଗମର ଆଶା, ଅନୁଭବୀ ପାଠକ! ଆମ୍ଭ ମାନସିକ ଭାବ ଯେ କିପରି ହୋଇଥିବ, ଭାଳି ଦେଖ। ଆମ୍ଭ ମନ କିପରି ବ୍ୟଗ୍ର ଥିବ, ଅନୁଭବ କର । ଆମ୍ଭେ ସେ ବିଷୟରେ ଅଧିକ କିଛି କହିବୁଁ ନାହିଁ । ଅଧିକ କହିଲେ କାଳେ ବାତୁଳ ବୋଲି ଉପହାସ କରିବ, ଏହି ଭୟ ହେତୁରୁ ନିବୃତ୍ତ ହେଲୁଁ ।

ଦୁଇପ୍ରହର ରାତ୍ରି ସମୟରେ ଆମ୍ଭେ ବନ୍ଦରରେ ପହଞ୍ଚିଲୁଁ । ପରଦିନ ପ୍ରାତଃକାଳରେ ପୋତରୁ ଓହ୍ଳାଇ ଅଶ୍ୱାରୋହଣରେ ସେହି ଗ୍ରାମ୍ୟ ଉପବନକୁ ଯାତ୍ରାକଲୁଁ । ଯେତେ ଅଗ୍ରସର ହେଲୁଁ, ଆମ୍ଭ ମନ ଚିନ୍ତା ଏବଂ ସନ୍ଦେହରେ ବ୍ୟାକୁଳ ହେବାକୁ ଲାଗିଲା । ହୃଦୟରେ ନାନା ପ୍ରକାର ଆଶଙ୍କା ଉପୁଜିଲା; ବସ୍ତୁତଃ ସ୍ନେହରୁ ଅନିଷ୍ଟ ଆଶଙ୍କା ହୁଏ । କେତେବେଳେ ମନରେ ହେଲା ଯେ ଲରା ଗତପ୍ରାଣା ହୋଇଅଛନ୍ତି, କେବେ ଭାବିଲୁଁ ଯେ କୌଣସି ପ୍ରବଳ ରୋଗରେ ଆକ୍ରାନ୍ତ ହୋଇଅଛନ୍ତି । ଆମ୍ଭ ଶରୀର ଭୟରେ କମ୍ପିତ ହେଲା । ବ୍ୟଗ୍ରତା ସହସ୍ରଗୁଣ ବଢ଼ିଲା । ବେଗରେ ଚାଲିଲୁଁ । ବହୁଶ୍ରମବଶତଃ ଅଶ୍ୱମୁଖରୁ ଫେଣ ନିର୍ଗତ ହେଲା । ଯେତେବେଳେ ଉପବନର ସମୀପବର୍ତ୍ତୀ ହେଲୁଁ, ଅଶ୍ୱକୁ ଏକ କୁଟୀରବାସିଠାରେ ରଖି ପଦବ୍ରଜରେ ଗମନ କଲୁଁ । ନାନାପ୍ରକାର ସନ୍ଦେହକୁ ହୃଦୟରେ ସ୍ଥାନ ଦାନ କରିଥିଲୁଁ ବୋଲି ଆପଣାକୁ ବହୁ ଧିକ୍‌କାର କଲୁଁ । କହିଲୁଁ, ‘‘ହୃଦୟ ! ସ୍ଥିର ହୁଅ, ମିଥ୍ୟା ଆଶଙ୍କାରେ କାହିଁକି ଭୀତ ହେଉଅଛ ?’’

ଉଦ୍ୟାନରେ ପ୍ରବେଶ କରି ଦେଖିଲୁଁ ଯେ ଆମ୍ଭ ଗମନ ସମୟରେ ଉପବନର ଯେପରି ଅବସ୍ଥା ଥିଲା, ବର୍ତ୍ତମାନ ସୁଦ୍ଧା ସେହିରୂପ ଅଛି । ଏହା ଦେଖି ଆମ୍ଭ ମନ କିୟତ୍‌ପରିମାଣରେ ଆଶ୍ୱସ୍ତ ହେଲା । ପୂର୍ବରେ ଯେଉଁଠାରେ ଆମ୍ଭେ ବସି ଲରା ସହିତ କଥୋପକଥନ କରୁଥିଲୁଁ, ସେ ସ୍ଥାନ ସେହି ଭାବରେ ଅଛି । ଯେଉଁ ଫୁଲବୃକ୍ଷମାନଙ୍କରୁ ଫୁଲ ତୋଳି ଲରାକୁ ଦେଉଥିଲୁଁ, ସେହି ତରୁମାନେ ସେହିରୂପେ ପୁଷ୍ପଭାରାବନତ ଅଛନ୍ତି । ମଧୁରାଳପୀ ବିହଙ୍ଗମାନେ ସେହିରୂପେ ଗାଉଅଛନ୍ତି । ଆଶା ଏବଂ ଆନନ୍ଦରେ ଆମ୍ଭ ମୁଖକାନ୍ତି ଉଜ୍ଜ୍ୱଳ ହେଲା । ଆମ୍ଭେ ପୂର୍ବରେ ଗୋଟିଏ ନିକୁଞ୍ଜ ମଧ୍ୟରେ ବସି ପୁସ୍ତକ ଅଧ୍ୟୟନ କରୁଥିଲୁଁ; ସେହି କୁଞ୍ଜ ଭିତରକୁ ଯାଇ ଦେଖିଲୁଁ ଯେ ଖଣ୍ଡେ ପୁସ୍ତକ ଏବଂ ତହିଁ ଉପରେ ଖଣ୍ଡିଏ ଦସ୍ତାନା ଅଛି । ସେ ଦସ୍ତାନା ଆମ୍ଭେ ପୂର୍ବରେ ଲରାକୁ ଦେଇଥିଲୁଁ-। ସେହି ଦସ୍ତାନା ଦେଖି ଆମ୍ଭ ଶରୀର ପୁଲକିତ ହେଲା । କହିଲୁଁ, ‘‘ନା, ଏବେ ଆଉ କିଚି ଭୟ ନାହିଁ । କାହିଁକି ବୃଥାରେ ଶଙ୍କିତ ହୋଇଥିଲୁଁ ?’’

ସେହି ନିକୁଞ୍ଜରୁ ବାହାରୁ ପଟଗୃହାଭିମୁଖରେ ଗମନ କଲୁଁ । ପଟଗୃହ ସୁଦ୍ଧା ସେହିପରି ଦେଖିଲୁଁ । ନେପ୍‌ଲସ୍ ଗମନ ସମୟରେ ଆମ୍ଭେ ଏହିଠାରେ ଲରାଠାରୁ ମେଲାଣି ନେଇଥିଲୁଁ । ଏହିଠାରେ ବିଷଣ୍ଣବଦନା ଲରା ଆମ୍ଭକୁ ଗମନାନୁମତି ଦେଇଥିଲେ । ଏହିଠାରେ ଶୋକାଶ୍ରୁ ବିସର୍ଜନ କରିଥିଲେ । ଆମ୍ଭକୁ ଦେଖିବାମାତ୍ରେ ଆନନ୍ଦାଶ୍ରୁରେ ଅଭିଷିକ୍ତ ହେବେ, ଏହି ବିବେଚନାରେ ଆମ୍ଭେ ହର୍ଷୋନ୍ମତ୍ତ ହେଲୁଁ । ଯେତେବେଳେ ପୂର୍ବୋକ୍ତ ପଟଗୃହରେ ନିକଟବର୍ତ୍ତୀ ହେଲୁଁ, ଏକ ମଧୁର ସ୍ତ୍ରୀକଣ୍ଠସମ୍ଭବ ସ୍ୱର ଆମ୍ଭ କର୍ଣ୍ଣରେ ପ୍ରବିଷ୍ଟ ହେଲା । ଏ କାହା ସ୍ୱର ? ଏପରି ମଧୁର ସ୍ୱର କାହାର ହେବ ? ଶବ୍ଦ ଶୁଣିବା ମାତ୍ରକେ ବୁଝିଲୁଁ ଯେ ଆମ୍ଭର ପ୍ରାଣସମା ପ୍ରିୟତମା ଲରା ଗୃହ ମଧ୍ୟରେ ଅଛନ୍ତି । ମନରେ କୌଣସି ଅନିର୍ବଚନୀୟ ଭାବର ଆବିର୍ଭାବ ହେବାରୁ କିଛି କ୍ଷଣ ସ୍ତମ୍ଭୀଭୂତ ହୋଇ ରହିଲୁଁ । ହଠାତ୍ ତାଙ୍କ ଅଗ୍ରରେ ଉପସ୍ଥିତ ହେବା ଉଚିତ ମଣିଲୁଁ ନାହିଁ। ମନ୍ଦ ମନ୍ଦ ପଦବିକ୍ଷେପରେ ଗୃହର ଦ୍ୱାରାଭିମୁଖରେ ଗମନ କଲୁଁ । କପାଟ ମୁକ୍ତ ଥିଲା, ଲରା ଆମ୍ଭ ଆଡ଼କୁ ପଛ କରି ବସି ମୃଦୁ ମନୋହର ସ୍ୱରରେ ଗୀତ ଗାଉଥିଲେ ଏବଂ ହସ୍ତରେ ତୂଳିକା ଘେନି ଖଣ୍ଡିଏ ଆଲେଖ୍ୟ ଲେଖୁଥିଲେ-। ଦୃଷ୍ଟିମାତ୍ର ଜାଣିଲୁଁ ଯେ ଆମ୍ଭ ଲିଖିତ ଖଣ୍ଡିଏ ଚିତ୍ରକୁ ଆଦର୍ଶରୂପେ ଥୋଇ ନିଜେ ଆଲେଖ୍ୟ ଲେଖୁଅଛନ୍ତି । ଆମ୍ଭେ କିଛିକାଳ ଏକ ଦୃଷ୍ଟିରେ ତାହାଙ୍କୁ ନିରୀକ୍ଷଣ କଲୁଁ । ଇତିମଧ୍ୟରେ ସେ ଏକ ଦୀର୍ଘନିଶ୍ୱାସ ପରିତ୍ୟାଗ କରି ଗାୟନରୁ ନିବୃତ୍ତ ହେଲେ । ଆମ୍ଭେ ଆଉ ଧୈର୍ଯ୍ୟ ନ ପାରିଲୁଁ, ‘‘ଲରା-!’’ ଆମ୍ଭ ଶବ୍ଦ ଶୁଣିବାମାତ୍ରକେ ସେ ଚମକିଉଠିଲେ, ଶ୍ରବଣାଲମ୍ବୀ ସୁବର୍ଣ୍ଣାଭରଣ କମ୍ପିତ ହେଲା । ଆମ୍ଭ ପ୍ରତି ଈଷଦୃଷ୍ଟି କରି ହୃଦୟଭେଦକ ଚିତ୍‌କାର କଲେ । ଆମ୍ଭେ ଯେବେ ଧରି ନ ଥାନ୍ତୁ, ତେବେ ସେ ନିଶ୍ଚୟ ଧରାତଳରେ ପଡ଼ିଯାଇଥାନ୍ତେ ।

ଆମ୍ଭେ ତାହାଙ୍କୁ ହୃଦୟରେ ଭିନି ଧରି କହିଲୁଁ, ‘‘ଲରା, ପ୍ରିୟତମା ଲରା !’’ ଏହି ଅର୍ଦ୍ଧୋକ୍ତି କରି ନିଃଶବ୍ଦ ହେଲୁଁ । ହର୍ଷାଧିକ୍ୟ ହେତୁରୁ ଆମ୍ଭର କର୍ଣ୍ଣରୋଧ ହେଲା । ଲରା ଅଚେତନ ଏବଂ ନିସ୍ପନ୍ଦ ହୋଇ ରହିଲେ । ଅକସ୍ମାତ୍ ତାହାଙ୍କ ଆତ୍ମପ୍ରଦର୍ଶନ କରିବାରୁ ତାହାଙ୍କର ଏହି ଅବସ୍ଥା ହୋଇଅଛି, ଏହା ଭାଳି ଆମ୍ଭେ ନିରତିଶୟ କାତର ହେଲୁଁ । ତାହାଙ୍କ ପ୍ରବୋଧ ନିମନ୍ତେ କେତେ ସାନ୍ତ୍ୱନା ବାକ୍ୟ କହିଲୁଁ । କିଛିକାଳ ପରେ ତାହାଙ୍କର ଚେତନା ହେଲା । ନେତ୍ରଦ୍ୱୟ ଉନ୍ମୀଳନ କଲେ-। ମୃଦୁସ୍ୱରରେ କହିଲେ, ‘‘ଏ କ’ଣ ? ଆମ୍ଭେ କେଉଁଠାରେ ଅଛୁଁ ?’’ ଆମ୍ଭ ହୃଦୟର ତୁମ୍ଭେ ଏକମାତ୍ର ଈଶ୍ୱରୀ, ସେହି ହୃଦୟରେ, ତୁମର ପ୍ରିୟତମ ହୃଦୟରେ ।’’ ଲରା ଭୟରେ ଥରିଲେ, କହିଲେ, ‘‘ନା ନା, ଛାଡ଼ିଦିଅ, ଆମ୍ଭକୁ ଛାଡ଼ିଦିଅ ।’’

ଏହା କହି ଆମ୍ଭ ବାହୁ-ବନ୍ଧନରୁ ଆପଣାକୁ ମୁକୁଳାଇଲେ । ଗୃହର ଏକ କୋଣକୁ ଯାଇ ହସ୍ତଦ୍ୱାରା ମୁଖାବୃତ କଲେ । ଆମ୍ଭେ ବଜ୍ରାହତ ପ୍ରାୟ ହେଲୁଁ । ଏ ସବୁ ଯଥାର୍ଥ ଘଟୁଅଛି କି ଆମ୍ଭର ମାନସିକ ଭ୍ରାନ୍ତି, କିଛି ସ୍ଥିର କରି ନ ପାରିଲୁଁ । ତ୍ରସ୍ତ ହୋଇ ଲରାଙ୍କର ଅନୁଗମନ କଲୁଁ । ତାହାଙ୍କର କର ଧାରଣ କରିବା ନିମନ୍ତେ କର ପ୍ରସାରଣ କଲୁଁ, ମାତ୍ର ସେ ଆମ୍ଭକୁ ସ୍ପର୍ଶ କରିବାକୁ ସୁଦ୍ଧା କୁଣ୍ଠିତ ହେଲେ ।

ଆମ୍ଭେ କହିଲୁଁ, ‘‘ଲରା ! ଏ କ’ଣ ? କାହିଁକି ଏମନ୍ତ କରୁଅଛ ? ଏତେଦିନ ଆମ୍ଭେ ଅଇଲୁଁ, ଏ କ’ଣ ତୁମ୍ଭର ଅକପଟ ସ୍ନେହ, ଏ କି ତୁମ୍ଭର ଅଟଳ ପ୍ରଣୟ ?’’ ‘‘ପ୍ରଣୟ’’ ଏହି ଶବ୍ଦ ଉଚ୍ଚାରଣ କରିବା ମାତ୍ରକେ ସେ ଥର ଥର ହୋଇ କମ୍ପିବାକୁ ଲାଗିଲେ । ବ୍ୟାକୁଳ ବଦନରେ ଆମ୍ଭ ପ୍ରତି ଚାହିଁ କହିଲେ, ‘‘ଆଉ ସେଥିର ପ୍ରସଙ୍ଗ ନ କର, ଏବେ ଆଉ ତାହା କହିଲେ କ’ଣ ହେବ ? ଆମ୍ଭେ ବିବାହିତା ହୋଇଅଛୁଁ ।’’

ଆମ୍ଭ ହୃଦୟରେ ଦୁଃଖଶେଳ ଫୁଟିଲା, ଜିହ୍ୱା ବନ୍ଦ ହେବା ପ୍ରାୟ ହେଲା । ଚିତ୍ରାର୍ପିତ ପ୍ରାୟ ନିସ୍ତବ୍‌ଧ ହୋଇ ରହିଲୁଁ; ଚାରିଦିଗ ଅନ୍ଧାର ଦିଶିଲା, ସଂଜ୍ଞାରହିତ ହେଲୁଁ । କିଛିକାଳ ପରେ ପୁନର୍ବାର ଚେତନା ଲଭି ଦେଖିଲୁଁ, ଲରା ସନ୍ନିହିତ ଶଯ୍ୟାରେ ଅଧୋବଦନରେ ଶୟନ ହୋଇଅଛନ୍ତି-। ତାଙ୍କ ବକ୍ଷସ୍ଥଳ କମ୍ପିତ ହେଉଅଛି। କ୍ରୋଧରେ ଆମ୍ଭ ମନ ଅସ୍ଥିର ହେଲା । କହିଲୁଁ, ‘‘ରେ ଦୁଷ୍ଟା ! ରେ ପାପୀୟସି !’’ ପୁଣି ଥରେ ସେହି ସୁନ୍ଦର ବଦନ ଦେଖିବା ମାତ୍ରକେ କ୍ରୋଧ ଆମ୍ଭ ଅନ୍ତଃକରଣରୁ ଛାଡ଼ି ପଳାଇଲା । ସେହି ମୋହିନୀ ମୂର୍ତ୍ତି ଏବଂ କ୍ରୋଧ ଏ ଉଭୟ ଏକାବେଳେ ଆମ୍ଭ ମନୋରାଜ୍ୟରେ ଆଧିପତ୍ୟ କରିବାକୁ ସମର୍ଥ ନହେଲେ । କାତର ବଚନରେ କହିଲୁଁ, ‘‘ଲରା, ଆମ୍ଭେ ସ୍ୱପ୍ନରେ ସୁଦ୍ଧା ଏମନ୍ତ ଭାବି ନଥିଲୁଁ ଯେ ତୁମ୍ଭେ ଆମ୍ଭଠାରେ ବିଶ୍ୱାସଘାତକତା କରିବ । ଆମ୍ଭେ ଏମନ୍ତ ଚିନ୍ତାକୁ କ୍ଷଣକାଳ ନିମନ୍ତେ ଆମ୍ଭ ହୃଦୟ ମଧ୍ୟରେ ସ୍ଥାନ ଦେଇନଥିଲୁଁ । ହା !’’

ଏହି କାତରୋକ୍ତି ଶ୍ରବଣ କରି ଲରା ଲୋତକପୂର୍ଣ୍ଣ ନୟନରେ ଆମ୍ଭ ପ୍ରତି ଦୃଷ୍ଟିପାତ କରି କହିଲେ, ‘‘ତୁମ୍ଭଠାରେ ବିଶ୍ୱାସଘାତକତା କଲୁଁ ! ସମସ୍ତେ ମୋତେ କହିଲେ ଯେ ତୁମ୍ଭର ପରଲୋକ ହୋଇଅଛି ।’’ ‘‘ତୁମ୍ଭେ କ’ଣ ଥରକୁଥର ଆମ୍ଭଠାରୁ ପତ୍ର ପାଇ ନାହଁ ?’’ ଲରା ବିସ୍ମୟପୂର୍ଣ୍ଣ ଲୋଚନରେ ଅନାଇ କହିଲେ, ‘‘ପତ୍ର! କି ପତ୍ର ? କାହାକୁ ଲେଖିଥିଲ’’ ‘‘କି ? ତୁମ୍ଭେ ପାଇ ନାହଁ ? ତୁମ୍ଭଠାରୁ ଆମ୍ଭେ ସେଥିର ଉତ୍ତର ସୁଦ୍ଧା ପାଇଅଛୁଁ ।’’ ଲରା ନିସ୍ପନ୍ଦଭାବରେ ଛିଡ଼ା ହୋଇ ରହିଲେ । କହିଲେ, ‘‘ପ୍ରଭୁ ସାକ୍ଷୀ, ଆମ୍ଭେ ଏହାର ଲବମାତ୍ର ଅବଗତ ନୋହୁଁ । ତୁମ୍ଭଙ୍କୁ ପ୍ରତ୍ୟୁତ୍ତର କେବେ ଲେଖିଥିଲୁଁ ?’’ ଆମ୍ଭ ହୃଦୟରେ ଘୋର ସଂଶୟ ଜାତହେଲା ।

‘‘ଆମ୍ଭେ ମରିଅଛୁଁ ବୋଲି ତୁମ୍ଭକୁ କିଏ କହିଲା ?’’

ଆମ୍ଭେ ଶୁଣିଲୁଁ, ଯେଉଁ ଜାହାଜରେ ତୁମ୍ଭେ ନେପ୍‌ଲସ୍‌କୁ ଯାଇଥିଲ, ସେହି ଜାହାଜ ବୁଡ଼ିଗଲାରୁ ତୁମ୍ଭର ପ୍ରାଣନାଶ ହୋଇଅଛି ।’’

‘‘ଏ କଥା ତୁମ୍ଭକୁ କିଏ କହିଲା ?’’

ଲରା ମୁହୂର୍ତ୍ତକାଳ ନୀରବ ହୋଇ ରହିଲେ, ଥରିବାକୁ ଲାଗିଲେ ।

‘‘ଫିଲିପ !’’

ଆମ୍ଭ ନେତ୍ରଦ୍ୱୟ ରକ୍ତବର୍ଣ୍ଣ ହେଲା । କହିଲୁଁ- ‘‘ତାହା ମୁଣ୍ଡରେ ବଜ୍ର ପଡ଼ୁ ।’’

ଲରା ମୃଦୁ ସ୍ୱରରେ କହିଲେ, ‘‘ଗାଳିଦିଅ ନାହିଁ, ସେ ଆମ୍ଭ ସ୍ୱାମୀ ଅଟନ୍ତି, ତାଙ୍କୁ ଗାଳି ଦିଅ ନାହିଁ ।’’

ଏବେ ଆମ୍ଭେ ସବୁ ବୁଝି ପାରିଲୁଁ । ଜାଣିଲୁଁ ଯେ ଦୁରାତ୍ମା ଆମ୍ଭଠାରେ ପ୍ରବଞ୍ଚନା କରିଅଛି-। ଆମ୍ଭ ଶରୀରସ୍ଥ ଶିରାମାନଙ୍କରେ ଶୋଣିତ ଉଷ୍ଣ ହୋଇ ତରଳ ଅଗ୍ନି ପ୍ରାୟ ପ୍ରବାହିତ ହେଲା । କୋପରେ ଅଧର ପ୍ରସ୍ଫୁଟିତ ହେଲା । କିୟତ୍ ସମୟ ସ୍ତମ୍ଭୀଭୂତ ହୋଇ ରହିଲୁଁ । କର୍ତ୍ତବ୍ୟବିମୂଢ଼ ହୋଇ ଚାରିଆଡ଼କୁ ଅନାଇଲୁଁ । ବ୍ୟାକୁଳଚିତ୍ତ ଲରା ଭାବିଲା ଯେ ଆମ୍ଭେ ତାହାଙ୍କ ଉପରେ କୂପିତ ହୋଇଅଛୁଁ । ଅସ୍ଫୁଟସ୍ୱରରେ ଆତ୍ମ-ନିରପରାଧିତା ବ୍ୟକ୍ତ କଲେ । ଏପରି କରିବାର ତାହାଙ୍କ ପକ୍ଷରେ ଆବଶ୍ୟକ ନ ଥିଲା । ତାହାଙ୍କ ନୟନଭଙ୍ଗି ଆମ୍ଭକୁ ସବୁ କହିଦେଲା । କୋପରୁଦ୍ଧ ସ୍ୱରରେ କହିଲୁଁ, ‘‘ଆଚ୍ଛା ! ଦୁରାତ୍ମା ଆମ୍ଭଠାରୁ ଏହାର ପ୍ରତିଫଳ ଅବଶ୍ୟ ପାଇବ।’’ ଲରା ସେ ଅର୍ଦ୍ଧୋଚ୍ଚାରିତ ବାକ୍ୟ ଶୁଣିଲେ । ଭୟରେ ତାଙ୍କ ମୁଖ ମ୍ଳାନ ହୋଇଗଲା । ‘‘ଆମ୍ଭ କଥା ଘେନ, ଫିଲିପଙ୍କ ସଙ୍ଗେ ସାକ୍ଷାତ୍ ନ କର, ଆମ୍ଭର ଏହି କଥୋପକଥନ ବୃତ୍ତାନ୍ତ ଶୁଣିଲେ ଫିଲିପ ଆମ୍ଭର ଦୂରବସ୍ଥାର ଏକ ଶେଷ କରିବେ, ତୁମ୍ଭର କିଛି ହେବ ନାହିଁ, କେବଳ ଆମ୍ଭେ ମରିବୁଁ ।’’

ପୁଣି ଆମ୍ଭ ହୃଦୟରେ ଏକ ନୂତନ ସନ୍ଦେହ ଉପସ୍ଥିତ ହେଲା । କହିଲୁଁ, ‘‘ତେବେ କ’ଣ ତୁମ୍ଭେ ଫିଲିପକୁ ଡର ? ଫିଲିପ କି ତୁମ୍ଭ ପ୍ରତି ନିଷ୍ଠୁର ବ୍ୟବହାର କରେ ? ତାହାର କଣ ଏଡ଼େ ସାହସ ? ଦୁରାତ୍ମା ତୁମ୍ଭର ଅବମାନନା କରେ ?’’

ଲରା ଅସ୍ପଷ୍ଟସ୍ୱରରେ କହିଲେ, ‘‘ନା ନା, ତାହା ନୁହେଁ, ଆମ୍ଭେ ତାହା କହୁ ନାହୁଁ ।’’ ମାତ୍ର ଲରାର ମୁଖଭଙ୍ଗି ଆନପ୍ରକାର କହିଲା । ତାହାଙ୍କ ବିବର୍ଣ୍ଣ ବଦନରୁ ଆମ୍ଭେ ସବୁ ବୁଝି ପାରିଲୁଁ । ବାସ୍ତବ ଫିଲିପ ଲରାଠାରେ ଅତ୍ୟନ୍ତ ନୃଶଂସ ଆଚରଣ କରିଥିଲା । ହା ଈଶ୍ୱର! ଆମ୍ଭ ଚିରବାଞ୍ଛିତ ପୁଷ୍ପ କି ଏହି ରୂପେ ପାଦଦଳିତ ହେଲା ! ଆମ୍ଭେ କ୍ଷିପ୍ତ ପ୍ରାୟ ହେଲୁଁ । ଚକ୍ଷୁ ଲୋହିତ ହେଲା । ଗଣ୍ଡଦ୍ୱୟ ସ୍ଫୀତ ହେଲା । କୋପାନଳ ଜ୍ୱଳି ଉଠିଲା । ଆମ୍ଭ ମୁଖାକୃତି ଅବଲୋକନ କରି ଲରା ଚକିତ ହେଲେ । ନୀରବ ହୋଇ ରହିଲେ । ଆମ୍ଭେ ଗବାକ୍ଷ ଆଡ଼କୁ ନୟନ ଫେରାଇ ଦେଖିଲୁଁ, ଫିଲିପ କିଞ୍ଚିତ୍ ଦୂରରେ ଦଣ୍ଡାୟମାନ ହୋଇଅଛି । କ୍ରୋଧାନ୍ମତ୍ତ ହୋଇ ପଟଗୃହରୁ ବିଜୁଳି ପ୍ରାୟ ଦୌଡ଼ିଗଲୁଁ । ଫିଲିପ ଆମ୍ଭକୁ ଦେଖିଲା । ତାହାର ମୁଖ ବିବର୍ଣ୍ଣ ହୋଇଗଲା । ଇତସ୍ତତଃ ଦୃଷ୍ଟି ନିକ୍ଷେପ କଲା । ପଳାଇ ପ୍ରାଣରକ୍ଷା କରି ପାରିବ ନାହିଁ, ଏହା ଭାବି କମ୍ପିତକଳେବରରେ କୋଷରୁ ଅସି ନିଷ୍କାସନ କଲା । ଆମ୍ଭେ ସକୋପରେ କହିଲୁଁ, ‘‘ନରାଧମ ରହ, ଆମ୍ଭେ ତୋହର ଉପଯୁକ୍ତ ଦଣ୍ଡବିଧାନ କରୁଅଛୁଁ ।’’

ଏହା କହି ତାହା ହୃଦୟରେ ଆମ୍ଭ କରସ୍ଥିତ କରବାଳ ଭୂସିଦେଲୁଁ । ସେହି ଆଘାତରେ ତାହାର ପ୍ରାଣନାଶ ହେଲା । କିନ୍ତୁ ସେତେବେଳଯାଏ ଆମ୍ଭର କ୍ରୋଧ ଶାନ୍ତ ହୋଇ ନଥିଲା । ରୁଧିରତୃଷ୍ଣାଯୁକ୍ତ ବ୍ୟାଘ୍ର ଭୀଷଣ ଗର୍ଜନ କରି ଯେପରି ନିଜ ଶିକାର ଉପରେ ପଡ଼ଇ, ଆମ୍ଭେ ସେହିପରି ଫିଲିପ ଉପରେ ଲମ୍ଫଦେଇ ପଡ଼ିଲୁଁ । ବାରମ୍ବାର ଆଘାତ କଲୁଁ । ଗଳାରେ ଗୋଡ଼ ଦେଇ ଦଳିଲୁଁ । ଆମ୍ଭ ସର୍ବାଙ୍ଗ ତାହାର ଶୋଣିତରେ ଲିପ୍ତ ହେଲା । ଲରା ଦୂରରୁ ଏହି ଭୟଙ୍କର ଘଟନା ଦେଖି ଚିତ୍କାର କରି ଆମ୍ଭ ନିକଟକୁ ଦୌଡ଼ି ଆସିଲେ । ତାହାଙ୍କୁ ଦେଖିବା ମାତ୍ରକେ ଆମ୍ଭ ହୃଦୟ ବିଦୀର୍ଣ୍ଣ ହେଲା, ଦ୍ରୁତଗତିରେ ସେହି ହତ୍ୟାସ୍ଥାନରୁ ପଳାଇଲୁଁ । କେଉଁଠାକୁ ପଳାଉଅଛୁଁ, କିଛି ସ୍ଥିର କରି ନ ପାରିଲୁଁ । ଆମ୍ଭ ମୁଣ୍ଡ ବୁଲିଲା । ସେଠାରୁ ଅନ୍ତର୍ହିତ ହେଲେ ଆମ୍ଭ ହୃଦୟ ସୁସ୍ଥ ହେବ, ଏହା ଭାବି ଆପିନାଇନ ପର୍ବତାଭିମୁଖରେ ପ୍ରସ୍ଥାନ କଲୁଁ । ସେହି ଗିରିରେ ରହି ନିର୍ଜନରେ କିଛି ଦିନ ଗମିଲୁଁ । ନିତ୍ୟ ଏକ ଶିଖରରୁ ଅନ୍ୟ ଶିଖରକୁ ଗମନ କରୁଥାଉଁ । କିରୂପେ ନରହତ୍ୟା ରୂପ ମହାପାତକ ବିସ୍ମୃତ ହେବୁଁ, ଅହର୍ନିଶି ଏହି ଭାବନାରେ ଭାବିତ ହୋଇ ବାତୁଳପ୍ରାୟ ହେଲୁଁ । ଏପରି ଭୟଙ୍କର ପାପ କି ବିସ୍ମୃତ ହେବାର ସମ୍ଭବ ଅଟେ ? ଲରାର ସେହି ମର୍ମଭେଦକ କାତରଧ୍ୱନି ସର୍ବଦା ଶୁଭୁଅଛି, ଫିଲିପର ସେହି ରକ୍ତାକ୍ତ କଳେବର ସର୍ବଦା ଦେଖୁଅଛୁଁ । ଆମ୍ଭକୁ ଏହିପରି ବୋଧ ହେଲା । ଆତ୍ମଗ୍ଳାନି କେଡ଼େ ଯନ୍ତ୍ରଣାଦାୟକ ! ଆମ୍ଭେ ଯେବେ ପୂର୍ବ ନିର୍ଦୋଷତା ପ୍ରାପ୍ତ ହୋଇପାରନ୍ତୁ, ତାହାହେଲେ ଲରାକୁ ଫିଲିପର କଣ୍ଠାଶ୍ଳିଷ୍ଟ ଦେଖିଲେ ସୁଦ୍ଧା ଆମ୍ଭର କ୍ରୋଧୋଦୟ ହୁଅନ୍ତା ନାହିଁ । ନିର୍ଦୋଷତା ମହାରତ୍ନ ଥରେ ହଜିଲେ ଆଉ ତାହାର ପୁନଃପ୍ରାପ୍ତିର ସମ୍ଭାବନା ନଥାଏ-। କ୍ରମେ କ୍ରମେ ଗତାନୁଶୋଚନା ଗୋଟିଏ ମାନସିକ ରୋଗ ରୂପେ ପରିଣତ ହେଲା । ଯେଉଁଠାକୁ ଗଲୁଁ, ଫିଲିପର ବିକଟାକାର ଭୟଙ୍କର ପିଶାଚ ଆମ୍ଭ ପଛେ ପଛେ ଆସୁଥିବା ବୋଧ ହେଲା । ନିଦ୍ରାବସ୍ଥାରେ ସେହି ଭୂତର ସ୍ୱପ୍ନ ଦେଖିଲୁଁ । ଅନ୍ଧକାରଚ୍ଛର୍ନ୍ନ ଗୃହରେ ସୁଦ୍ଧା ସେହି ଭୂତ ଦୃଷ୍ଟ ହେଲା କି ଅବା ଈଶ୍ୱର ଆମ୍ଭକୁ ଦଣ୍ଡ ଦେବା ନିମନ୍ତେ ବାସ୍ତବରେ ଗୋଟିଏ ଭୂତ ପ୍ରେରଣ କରିଥିଲେ ! କେତେ ଗୃହରେ ବାସ କଲୁଁ, କେତେ ସ୍ଥାନ ଭ୍ରମିଲୁଁ, କେତେ ଆମୋଦ ପ୍ରମୋଦରେ ରତ ହେଲୁଁ, କାହିଁରେ କିଛି ହେଲା ନାହିଁ । ଶେଷକୁ ତୂଳିକା ଘେନି ସେହି ଭୂତରୁ ଗୋଟିଏ ପ୍ରତିମୂର୍ତ୍ତି ଲେଖିଲୁଁ । ସର୍ବଦା ସେହି ପ୍ରତିମୂର୍ତ୍ତି ଦେଖିଲେ ଆମ୍ଭର ଭୟ ଭାଙ୍ଗିଯିବ, ଏହି ବିବେଚନାରେ ଚିତ୍ରପଟକୁ ବାରମ୍ବାର ଦେଖିଲୁଁ । ମାତ୍ର ତହିଁରେ ଭୟର ହ୍ରାସ ନ ହୋଇ ବରଂ ବୃଦ୍ଧି ହେଲା । ଐହିକ ସୁଖର ଆଶାରେ ଜଳାଞ୍ଜଳି ଦେଇଥିଲୁଁ । ପରକାଳରେ ଯେ ସୁଖ ହେବ, ଏପରି ଆଶା ଅବା କିରୂପେ କରିବୁଁ ? ଦୁର୍ବିସହ ବେଦନାରେ ଆମ୍ଭ ମନ ନିରନ୍ତର ବ୍ୟାକୁଳ ହେଲା । ଆତ୍ମଗ୍ଳାନିରୂପ କୀଟ ହୃଦୟକୋରକକୁ କାଟିଲା । ଦୁରନ୍ତ ଯତ୍ନ୍ରଣାନଳ ହୃଦୟକୁ ଦଗ୍‌ଧ କଲା । ଅନ୍ତର୍ଯ୍ୟାମୀ ଜଗଦୀଶ୍ୱରଙ୍କୁ କିଛି ଅପ୍ରକାଶ ନାହିଁ । ଆମ୍ଭ ମାନସିକ ଭାବ ତାଙ୍କୁ ଗୋଚର ଥିଲା । ଆମ୍ଭ ମନସ୍ତାପ ଅନ୍ତର୍ଦାହ ତାହାଙ୍କୁ ଅଜ୍ଞାତ ହୋଇ ନ ପାରେ । ଆମ୍ଭେ ବାରମ୍ବାର ଭୂମିଷ୍ଠ ହୋଇ ସେ କରୁଣାସିନ୍ଧୁଙ୍କଠାରେ କ୍ଷମା ମାଗିଅଛୁଁ, ଶୀଘ୍ର ମୃତ୍ୟୁକୁ ପଠାଇ ଉଦ୍ଧାର କରିବା ନିମନ୍ତେ କେତେ ଥର ମିନତି କରିଅଛୁଁ ।

 

ଆମ୍ଭେ ଏତେଦୂଯାଏ ଲେଖି ରଖିଥିଲୁଁ । ଯେତେବେଳେ ଆମ୍ଭେ ସଂସାରରୁ ତିରୋହିତ ହୋଇଥିବୁଁ, ସେତେବେଳେ ଏହା ପ୍ରଚାରିତ ହେବ, ଆମ୍ଭର ଏହି ଅଭିପ୍ରାୟ ଥିଲା । କୃପାସିନ୍ଧୁ ଜଗଦୀଶ୍ୱର ଆମ୍ଭର ପ୍ରାର୍ଥନା ଶୁଣିଲେ । ଆମ୍ଭେ କାଲି ସନ୍ଧ୍ୟା ସମୟରେ ଯେତେବେଳେ ଦେବାଳୟରେ ଆରାଧନା କରୁଥିଲୁଁ, ଆମ୍ଭର ଭାବ ଭଙ୍ଗି ତୁମ୍ଭେ ନିର୍ନିମେଷ ନୟନରେ ଦେଖି ଅଛ । ଦେବାଳୟରେ ଗଭୀର ବାଦ୍ୟଧ୍ୱନି ହେବାକୁ ଲାଗିଲା । ମନ୍ଦିର ପ୍ରତିଧ୍ୱନିତ ହେଲା । ସେହି ବାଦ୍ୟ ସମୟରେ ଆମ୍ଭେ କୌଣସି ବ୍ୟକ୍ତର ବାକ୍ୟ ଶୁଣିଲୁଁ । ଆହା ! କି ମନୋହର ସ୍ୱର ! ଆମ୍ଭକୁ କହିଲେ, ‘‘ଅପରାଧୀ ଯୁବକ ! ତୁମ୍ଭର ଅପରାଧ ମାର୍ଜିତ ହେବ, କିନ୍ତୁ ତୁମ୍ଭକୁ ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ କରିବାକୁ ହେବ ।’’ ଆମ୍ଭେ ସେହି ପ୍ରାୟଶ୍ଚିତ୍ତ ନିମନ୍ତେ ଗମନ କରୁଅଛୁଁ । ଜେନୋୟା ନଗରରେ ଉପସ୍ଥିତ ହୋଇ ଧର୍ମୀସନ ଅଗ୍ରତେ ଅପରାଧ ସ୍ୱୀକାର କଲେ ଆମ୍ଭର ପ୍ରାଣଦଣ୍ଡ ହେବ । ତୁମ୍ଭେ ଆମ୍ଭ ଦୁଃଖରେ ଦୁଃଖୀ ହୋଇ ଆମ୍ଭର ଆହତ ହୃଦୟରେ ପ୍ରେମରୂପ ଔଷଧ ଲେପିଅଛ, କିନ୍ତୁ ଆମ୍ଭର ରୋଗ ସହଜରେ ଉପଶମ ହେବାର ନୁହେଁ । ଆମ୍ଭର ଏହି ଇତିହାସ ପ୍ରଚାର କରିବା ନିମନ୍ତେ ତୁମ୍ଭଠାରେ ରଖି ଗଲୁଁ, ଆମ୍ଭକୁ ମନରେ ରଖିଥିବ, ଏତିକି ।

Image

 

ଉପସଂହାର

ଗଳ୍ପ ସରିବା ଉତ୍ତାରୁ ଗୃହସ୍ୱାମୀ ବାଷ୍ପଗଦ୍‌ଗଦ ସ୍ୱରରେ କହିଲେ, ‘‘ଆଉ ସେପରି ଅକୃତ୍ରିମ ମିତ୍ର ପାଇବୁଁ ନାହିଁ ।’’ ଏହା କହି ରୋଦନ କରିବାକୁ ଲାଗିଲେ । ଅତିଥିମାନେ ଗଳ୍ପ ଶୁଣି କିଛିକାଳ ନୀରବ ହୋଇ ରହିଲେ । ଅନନ୍ତର ଜଣେ କହିଲେ, ‘‘ପୃଥିବୀରେ ଏମନ୍ତ ଲୋକ ସୁଦ୍ଧା ଥାଏ ! କି ଆଶ୍ଚର୍ଯ୍ୟ ! କେତେ ଉପନ୍ୟାସ ଶୁଣିଅଛୁଁ, ମାତ୍ର କେବେହେଁ ଏପରି ଅପୂର୍ବ କଥା ଶୁଣି ନାହୁଁ । ଆହା ! ସବୁ ମନୁଷ୍ୟ ଯେବେ ଏପରି ସରଳସ୍ୱଭାବ ହୁଅନ୍ତେ, ତାହାହେଲେ ମହୀ ସ୍ୱର୍ଗ ପରି ହୁଅନ୍ତା, ସନ୍ଦେହ ନାହିଁ । ବାସ୍ତବରେ ଏପରି ମନୁଷ୍ୟ ଦୁର୍ଲଭ ।

 

ଛବି ଦେଖିବା ପାଇଁ ସେମାନଙ୍କର ଏକାନ୍ତ ବାସନା ହେଲାରୁ ଗୃହସ୍ଥକୁ କହିଲେ, ‘‘ମହାଶୟ! ଛବି ଦେଖିବା ନିମନ୍ତେ ଆମ୍ଭମାନଙ୍କର ଅତ୍ୟନ୍ତ କୌତୂହଳ ହେଉଅଛି । ଅନୁଗ୍ରହପୂର୍ବକ ଦେଖାଇବା ହେଉନ୍ତୁ ।’’

 

ଗୃହସ୍ୱାମୀ କହିଲେ, ‘‘ସେଥିରେ ଆମ୍ଭର କିଛି ଆପତ୍ତି ନାହିଁ । ମାତ୍ର ସମସ୍ତେ ଏକାବେଳକେ ନଦେଖି ଜଣେ ଜଣେ କରି ଦେଖିଲେ ଭଲହେବ । ରାତିରେ ସେ ଛବି ଯେରୂପ ଭୟଙ୍କର ଦିଶେ, ଦିନରେ ସେରୂପ ଦିଶେ ନାହିଁ । ଯେବେ ଆପଣମାନଙ୍କର ଅଭିରୁଚି ହୁଏ, ରାତିରେ ଦେଖାଇବୁଁ ।’’

 

ଅତିଥିମାନେ କହିଲେ, ‘‘ଆଚ୍ଛା ତେବେ ରାତିରେ ଦେଖିବୁଁ ।’’ ଦିବା ଦୁଇପ୍ରହର ହୋଇଥିଲା । ଗୃହସ୍ଥ ଏବଂ ଅତିଥିମାନେ ସ୍ନାନାଦି କରି ଭୋଜନ କଲେ । ମିଷ୍ଟାଳାପରେ ଅପରାହ୍‌ଣ ଯାପିତ ହେଲା ।

 

ସୂର୍ଯ୍ୟ ବୁଡ଼ିଲେ । ସଞ୍ଜ ହେଲା । ପକ୍ଷୀମାନେ ଆପଣା ଆପଣା ବସାକୁ ନେଉଟିଗଲେ । ଅନ୍ଧାର ବଢ଼ିଲା । ପୁଣି ବାୟୁ ପ୍ରବଳ ହେଲା । ଅତିଥିମାନେ ଛବି ଦେଖିବା ନିମନ୍ତେ ବ୍ୟଗ୍ର ହୋଇଥିଲେ । ଗୃହସ୍ୱାମୀ ସେମାନଙ୍କୁ ଜଣେ ଜଣେ କରି ଛବି ଘରକୁ ଘେନି ଗଲେ । ସେହି ଘର ପଥରନିର୍ମିତ, ପୁଣି ଅତିଶୟ ପୁରୁଣା, ତହିଁରେ ଗୋଟାଏ ଝରକା ଥିଲା । ରାତିରେ ସେହି ଝରକାରୁ ଚାହିଁଲେ ଅନ୍ଧାର ଲତାକୀର୍ଣ୍ଣ ବନ ଛଡ଼ା ଆଉ କିଛିହିଁ ଦିଶେ ନାହିଁ । ଅତିଥିମାନେ ଛବି ଦେଖି ବିସ୍ମୟଯୁକ୍ତ ହେଲେ । ଚିତ୍ରକାରର ଅସାଧାରଣ ଚିତ୍ରନୈପୁଣ୍ୟ ହେତୁରୁ ସେହି ପ୍ରତିମୂର୍ତ୍ତି ସେମାନଙ୍କୁ ପ୍ରକୃତ ଭୂତ ପ୍ରାୟ ବୋଧ ହେଲା । କହିଲେ, ‘‘କି ଭୟଙ୍କର ମୂର୍ତ୍ତି ! ମଲେ ସୁଦ୍ଧା ଏହା ପାସୋରିବଁ ନାହିଁ ।’’

Image